Murder: ପରକୀୟା ପ୍ରୀତିରୁ ହତ୍ୟା ଅଭିଯୋଗ, ସ୍ବାମୀ-ପ୍ରେମିକ ଅଟକ

ନବରଙ୍ଗପୁର/ତେନ୍ତୁଳିଖୁଣ୍ଟି/ନନ୍ଦାହାଣ୍ଡି: ପରକୀୟା ପ୍ରୀତିରୁ ସ୍ତ୍ରୀକୁ ହତ୍ୟା ଅଭିଯୋଗ। ଥାନାରେ ହତ୍ୟାକାରୀ ସ୍ୱାମୀ ଓ ପ୍ରେମିକା ଅଟକ। ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଥାନାର ନନ୍ଦାହାଣ୍ଡି ବ୍ଲକ ଅଂଚଳରୁ। ଏନେଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ମୃତକଙ୍କ ମାଆ।
ଅଭିଯୋଗ ଅନୁସାରେ କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ବେଥନିଆ ଗ୍ରାମର ସଞ୍ଜିତା ଖୁରାଙ୍କ ଝିଅ ପ୍ରୀତି ଖୁରା। ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଥାନା ଅନ୍ତର୍ଗତ ନନ୍ଦାହାଣ୍ଡି ବ୍ଲକର ମରାଳି ଗ୍ରାମର ସଲମୋନ ଟାକ୍ରିଙ୍କୁ ବିବାହ କରିଥିଲେ। କିନ୍ତୁ, ବିବାହ ପରେ ମଧ୍ୟ ସ୍ୱାମୀ ସଲାମନ ଟାକ୍ରି ପରକୀୟ ପ୍ରୀତିରେ ଲିପ୍ତ ଥିଲେ, ଯାହାକୁ ନେଇ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ କଳହ ଲାଗି ରହିଥିଲା। ଫଳରେ ସ୍ୱାମୀଙ୍କୁ ଛାଡି ସ୍ତ୍ରୀ ପ୍ରୀତି ବାପା ଘରକୁ ଚାଲି ଯାଇଥିଲେ। କିନ୍ତୁ, ପରବର୍ତୀ ସମୟରେ ଉଭୟ ପରିବାରଙ୍କ ସହମତିରେ ପ୍ରୀତି ସ୍ବାମୀ ସଲମୋନଙ୍କ ଘରକୁ ଫେରିଥିଲେ ଏବଂ ତାଙ୍କର କନ୍ୟା ସନ୍ତାନ ଜନ୍ମ ହୋଇଥିଲା। କିନ୍ତୁ, ସ୍ୱାମୀ ସଲମୋନ ଟାକ୍ରି ତାଙ୍କ ପ୍ରେମିକା ସଲମା ଟାକ୍ରିଙ୍କ ସହିତ ପରକୀୟ ପ୍ରୀତିରେ ଲିପ୍ତ ଥିଲେ, ଯାହାକୁ ନେଇ କଳହ ର ଧୂଆଁ ଧୀରେ ଧୀରେ ବଢୁଥିଲା।
ଗତକାଲି ପ୍ରୀତି ନିଜ ଝିଅକୁ ଧରଲେ ଘର ପାଇଁ ପିଇବା ପାଣି ଆଣିବା ପାଇଁ ଯିବେ ଭାବି ସ୍ୱାମୀଙ୍କୁ ଖୋଜିବା ବେଳେ ସ୍ୱାମୀ ଘରେ ନ ଥିଲେ। ଫଳରେ ଏଣେତେଣେ ଖୋଜିବା ପରେ ସ୍ବାମୀ ନିଜ ପ୍ରେମିକା ସଲମାଙ୍କ ସହିତ ଥିବା ଦେଖିଥିଲେ। ଏନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତ୍ତେଜିତ ହୋଇ ସଲମୋନ ଓ ତାଙ୍କ ପ୍ରେମିକା ସ୍ତ୍ରୀ ପ୍ରୀତିକୁ ଉଭୟ ମିଶି ମାରି ଦେଇ ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରିଥିବା ପୁଲିସ ନିକଟରେ ଅଭିଯୋଗ ହୋଇଥିଲା। ଏପରିକି ମୃତ ସ୍ତ୍ରୀକୁ ସଲମୋନ ତେନ୍ତୁଳିଖୁଣ୍ଟି ଡାକ୍ତରଖାନାକୁ ଆଣିଥିଲେ। ପ୍ରିତୀଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।
ଆହୁରି ପଢ଼ନ୍ତୁ: Murder: ପରକୀୟା ପ୍ରୀତି ସନ୍ଦେହରେ ଯୁବକଙ୍କୁ ଗୁଳି କରି ହତ୍ୟା
ଅନ୍ୟପଟେ ଖବର ପାଇବା ପରେ ମୃତ ପ୍ରୀତିଙ୍କ ମାଆ ସଂଜିତା ଘଟଣାସ୍ଥଳକୁ ଯାଇ ଦେଖି ତାଙ୍କ ଝିଅ ପ୍ରିତୀକୁ ହତ୍ୟା କରାଯାଇଥିବା ସନ୍ଦେହ କରି ଉଭୟ ସଲମୋନ ଓ ତାର ପ୍ରେମିକା ନାଁରେ ତେନ୍ତୁଳୀଖୁଣ୍ଟି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୁକ୍ତ ମାନଙ୍କୁ ଫାଶୀ ଦଣ୍ଡ ଦେବାକୁ ଦାବୀ କରିଛନ୍ତି ମୃତକ ଙ୍କ ପରିବାରବର୍ଗ।
ଏତଲା ଆଧାରରେ ତେନ୍ତୁଳୀଖୁଣ୍ଟି ପୁଲିସ ଉଭୟ ସ୍ୱାମୀ ସଲମୋନ ଟାକ୍ରି ଓ ପ୍ରେମିକା ସଲମାଙ୍କୁ ଅଟକ ରଖିଥିବା ବେଳେ ପ୍ରାଥମିକ ତଦନ୍ତରେ ସ୍ୱାମୀ ହତ୍ୟା କରିଥିବା ଜଣାପଡିଥିଲା। ଅଭିଯୁକ୍ତ ସ୍ବାମୀ ସଲମୋନକୁ କୋର୍ଟକୁ ଚାଳାଣ କରାଯିବ ବୋଲି କହିଛନ୍ତି ନବରଙ୍ଗପୁର ଏସଡିପିଓ କୃଷ୍ଣଚନ୍ଦ୍ର ଭତ୍ରା। ଏହି ହତ୍ୟାକାଣ୍ଡରେ ପ୍ରେମିକାର ଭୂମିକା ସନ୍ଦେହ ଘେରରେ ରହିଥିବାରୁ ତାକୁ ଅଟକ ରଖି ଅଧିକ ତଦନ୍ତ କରାଯାଉଛି ବୋଲି କହିଛନ୍ତି ଏସଡିପିଓ।
Comments (0)