ଡାଇନୋସର ଯୁଗରୁ ଚାଲିଛି ‘ମେ-ଫ୍ଲାଇ’ର ନୃତ୍ୟ: ରହସ୍ୟ ଉନ୍ମୋଚନକଲେ ଗବେଷକ

May 02, 2026 - 18:26
0 2

ଲଣ୍ଡନ, ୩୦ା୪:ପୃଥିବୀରେ ଡାଇନୋସରଙ୍କ ଆଗମନର ବହୁ କୋଟି ବର୍ଷ ପୂର୍ବର ପୁରୁଣା ହେଉଛି କ୍ଷୁଦ୍ର ପତଙ୍ଗ ‘ମେ-ଫ୍ଲାଇ’। ଏହି ପତଙ୍ଗର ବିଚିତ୍ର ଉଡ଼ାଣ ଶୈଳୀ ବା ‘ନୃତ୍ୟ’ ଦୀର୍ଘ ଦିନ ଧରି ଗବେଷକମାନଙ୍କ ପାଇଁ ଏକ ରହସ୍ୟ ହୋଇ ରହିଥିଲା। ସମ୍ପ୍ରତି ଏକ ନୂତନ ଗବେଷଣାରୁ ଏହି ରହସ୍ୟ ଉପରୁ ପରଦା ହଟିଛି। ଗବେଷକମାନଙ୍କ ତଥ୍ୟ ଅନୁଯାୟୀ, ପ୍ରାୟ ୩୦ କୋଟି ବର୍ଷ ପୂର୍ବରୁ ଏହି ପତଙ୍ଗମାନେ ପୃଥିବୀକୁ ଆସିଥିଲେ। ସା ସମୟରେ ନଦୀ କୂଳରେ ହଜାର ହଜାର ସଂଖ୍ୟାରେ ଅଣ୍ଡିରା ମେ-ଫ୍ଲାଇ ଏକାଠି ହୋଇ ଆକାଶକୁ ଲମ୍ବ ଭାବେ ଉଡ଼ିଥାନ୍ତି ଏବଂ ପୁଣି ଡେଣା ମେଲାଇ ଧୀରେ ଧୀରେ ତଳକୁ ଖସିଥାନ୍ତି। ଏହା ଦେଖିବାକୁ ଏକ ନୃତ୍ୟ ପରି ମନେହୁଏ।

ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଏବଂ ଇମ୍ପେରିଆଲ କଲେଜ ଲଣ୍ଡନର ଗବେଷକମାନେ ପ୍ରକାଶ କରିଛନ୍ତି ଯେ, ଏହି ବିଚିତ୍ର ଉଡ଼ାଣ ଶୈଳୀ ସେମାନଙ୍କର ବଂଶ ରକ୍ଷା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଅଣ୍ଡିରା ମେ-ଫ୍ଲାଇମାନେ ଏହିପରି ଉଡ଼ି ନିଜ ସମୂହ ମଧ୍ୟରେ ମାଈ ମେ-ଫ୍ଲାଇଙ୍କୁ ଚିହ୍ନଟ କରିଥାନ୍ତି। ମାଈ ପତଙ୍ଗମାନେ ସାଧାରଣତଃ ସମାନ୍ତରାଳ ଭାବେ ଉଡୁଥିବାବେଳେ ଅଣ୍ଡିରାମାନେ ଲମ୍ବ ଭାବେ ଉଡ଼ି ସେମାନଙ୍କୁ ଖୋଜିଥାନ୍ତି। ଖୁବ୍‌ କମ୍‌ ସମୟ ଜୀବିତ ରହୁଥିବାରୁ (କିଛି ଘଣ୍ଟାରୁ କିଛି ଦିନ), ଉପଯୁକ୍ତ ସାଥୀ ଚୟନ କରି ବଂଶ ବୃଦ୍ଧି କରିବା ସେମାନଙ୍କ ପାଇଁ ଏକ ଚ୍ୟାଲେଞ୍ଜ ହୋଇଥାଏ। ଏହି ପ୍ରାଚୀନ ପତଙ୍ଗ ଏବେ ବିଲୁପ୍ତପ୍ରାୟ। ରିପୋର୍ଟ ଅନୁଯାୟୀ, ବ୍ରିଟେନର ପରିଷ୍କାର ଜଳସ୍ରୋତଗୁଡ଼ିକରେ ଏମାନଙ୍କ ସଂଖ୍ୟା ୧୯୯୮ ମସିହା ତୁଳନାରେ ପ୍ରାୟ ୪୧ ପ୍ରତିଶତ ହ୍ରାସ ପାଇଛି। ଜଳ ପ୍ରଦୂଷଣ, ନଦୀ ପଠାରେ ବାଲି କ୍ଷୟ ଏବଂ ତାପମାତ୍ରା ବୃଦ୍ଧି ଏଥିପାଇଁ ମୁଖ୍ୟତଃ ଦାୟୀ। ଗବେଷକମାନେ ଏହାକୁ ‘ପତଙ୍ଗ ମହାବିନାଶ’ର ଏକ ଅଂଶ ବୋଲି ଚେତାବନୀ ଦେଇଛନ୍ତି।
ଗବେଷଣାର କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟକୁ ଦେଖିଲେ, ଅଧିକାଂଶ ପୂର୍ଣ୍ଣବୟସ୍କ ମେ-ଫ୍ଲାଇଙ୍କ ଜୀବନକାଳ ମାତ୍ର ୨୪ ଘଣ୍ଟାରୁ କମ୍‌ ହୋଇଥାଏ। ଏଥିପାଇଁ ଏହାକୁ ‘ଏଫେମେରୋପ୍ଟେରା’ କୁହାଯାଏ, ଯାହାର ଅର୍ଥ ‘ସ୍ବଳ୍ପକାଳୀନ’। ଆଶ୍ଚର୍ଯ୍ୟଜନକ କଥା ହେଉଛି, ପୂର୍ଣ୍ଣବୟସ୍କ ମେ-ଫ୍ଲାଇମାନଙ୍କର ମୁହଁ କିମ୍ବା ପାଚନ ପ୍ରକ୍ରିୟା ନ ଥାଏ। ସେମାନେ ନିଜ ଜୀବନର ଅନ୍ତିମ କିଛି ଘଣ୍ଟା କେବଳ ବଂଶ ବୃଦ୍ଧି ପାଇଁ ବିତାଇଥାନ୍ତି। ଏହି ପତଙ୍ଗମାନେ ପ୍ରଦୂଷଣ ପ୍ରତି ଅତ୍ୟନ୍ତ ସମ୍ବେଦନଶୀଳ। ଯଦି କୌଣସି ନଦୀରେ ମେ-ଫ୍ଲାଇ ବହୁ ସଂଖ୍ୟାରେ ଦେଖାଯାନ୍ତି, ତେବେ ବୁଝିବାକୁ ହେବ ଯେ ସେହି ନଦୀର ଜଳ ଅତ୍ୟନ୍ତ ଶୁଦ୍ଧ ଏବଂ ଅମ୍ଳଜାନଯୁକ୍ତ।

 

Dharitri – Odisha’s No.1 Odia Daily

 

The post ଡାଇନୋସର ଯୁଗରୁ ଚାଲିଛି ‘ମେ-ଫ୍ଲାଇ’ର ନୃତ୍ୟ: ରହସ୍ୟ ଉନ୍ମୋଚନକଲେ ଗବେଷକ appeared first on Dharitri Odia News.

Comments (0)

User