Cricket: ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଲାଗି ଭାରତୀୟ ଦଳ ଘୋଷିତ

May 03, 2026 - 06:02
0 0
Cricket: ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଲାଗି ଭାରତୀୟ ଦଳ ଘୋଷିତ

ମୁମ୍ବାଇ: ଇଂଲଣ୍ଡ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳା ସହ ଆଗାମୀ ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍‌ଲାଗି ବିସିସିଆଇ ଏକ ୧୫ଜଣିଆ ଭାରତୀୟ ଦଳ ଘୋଷଣା କରିଛି। ବୋଲିଂ ଅଲରାଉଣ୍ଡର୍‌ ରାଧା ଯାଦବ ଏବଂ ୱିକେଟ୍‌ ରକ୍ଷକ ବ୍ୟାଟର୍‌ ୟାସ୍ତିକା ଭାଟିଆ ଦଳକୁ ଫେରିଥିଲା ବେଳେ ଆହତ ଥିବାରୁ କାଶ୍‌ଭୀ ଗୌତମ ଓ ଅମନଜ୍ୟୋତ କୌର ବଞ୍ଚିତ ହୋଇଛନ୍ତି। ଶନିବାର ଅଧିନାୟିକା ହର୍‌ମନ୍‌ପ୍ରୀତ୍‌ କୌର, ମୁଖ୍ୟ ପ୍ରଶିକ୍ଷକ ଆମୋଲ ମଜୁମଦାର, ମୁଖ୍ୟ ଚୟନକର୍ତ୍ତା ଅମିତା ଶର୍ମା ଏବଂ ବିସିସିଆଇ ସଂପାଦକ ଦେବଜିତ ସାଇକିଆ ଉପସ୍ଥିତ ଥିବା ‌ବୈଠକରେ ସର୍ମସମ୍ମତିକ୍ରମେ ଦଳ ଚୟନ କରାଯାଇଥିଲା।

ୟାଶିକାଙ୍କ ବାମଆଣ୍ଠୁରେ ଗୁରୁତର ଆଘାତ ଲାଗିବା ପରେ ସେ ଗତବର୍ଷର ଦିିନିକିଆ ବିଶ୍ବକପ୍‌ ସହ ଡବ୍‌ଲ୍ୟୁପିଏଲ୍‌ ମଧ୍ୟ ଖେଳି ପାରି ନଥିଲେ। ଏବେ କିନ୍ତୁ ସେ ସଂପୂର୍ଣ୍ଣ ଫିଟ୍‌ ଥିବାରୁ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଦଳରେ ସ୍ଥାନ ପାଇଛନ୍ତି। କାଶ୍‌ଭୀ ଓ ଅମନଜ୍ୟୋତ ବାଦ୍‌ ପଡ଼ିବା ପରେ ଦ୍ରୁତ ବୋଲର ନନ୍ଦାନୀ ଶର୍ମାଙ୍କୁ ପ୍ରଥମ ଥର ଭାରତୀୟ ଦଳକୁ ଡାକରା ମିଳିଛି। ଡାହାଣହାତୀ ବୋଲର୍‌ ନନ୍ଦାନୀ ଦିଲ୍ଲୀ କ୍ୟାପିଟାଲ୍‌ସର ପ୍ରଥମ ବୋଲର ଭାବେ ଡବ୍‌ଲ୍ୟୁପିଏଲ୍‌ରେ ହ୍ୟାଟ୍ରିକ୍‌ ନେଇଥି‌ଲେ। ଚୟନକର୍ତ୍ତାମାନେ ତାଙ୍କୁ ଏହାର ପୁରସ୍କାର ଦେଇଛନ୍ତି। ଏହି ୨୪ବର୍ଷୀୟା ବୋଲର୍‌ ଗୁଜରାଟ ଟାଇଟନ୍ସ ବିପକ୍ଷର ଏହି ସଫଳତା ଲାଭ କରିଥିଲେ।

ଆହୁରି ପଢ଼ନ୍ତୁ: Srilanka: କ୍ରିକେଟ୍‌ ବୋର୍ଡକୁ ନିୟନ୍ତ୍ରଣକୁ ନେଲେ ଶ୍ରୀଲଙ୍କା ସରକାର

ଏହି ମ୍ୟାଚ୍‌ରେ ସେ ମଧ୍ୟ ୫ ୱିକେଟ୍‌ ସଫଳତା ପାଇଥିଲେ। ଡବ୍‌ଲ୍ୟୁପିଏଲ୍‌ର ୧୦ ମ୍ୟାଚ୍‌ ଖେଳି ୧୭ ୱିକେଟ୍‌ କରାୟତ୍ତ କରିଥିଲେ। ଦକ୍ଷିଣ ଆଫ୍ରିକା ଗସ୍ତରେ ଭଲ ପ୍ରଦର୍ଶନ କରିବା ପରେ ଅନୁଷ୍କା ଶର୍ମାଙ୍କୁ ତାଙ୍କ ଜୀବନର ଅନ୍ୟତମ ବଡ଼ ସୁଯୋଗ ମିଳିଛି। ସେ ମଧ୍ୟ ବିଶ୍ବକପ୍‌ ଦଳରେ ସୁଯୋଗ ପାଇଛନ୍ତି। ଇଂଲଣ୍ଡ ବିପକ୍ଷ ଏକମାତ୍ର ଟେଷ୍ଟ୍‌ ଲାଗି ମଧ୍ୟ ଶନିବାର ୧୩ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି। ହର୍‌ମନ୍‌ପ୍ରୀତ୍ କୌର ସମସ୍ତ ଦଳର ଅଧିନାୟିକା ରହିଛନ୍ତି। ସୂଚନାଯୋଗ୍ୟ ଯେ ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍‌କୁ ଇଂଲଣ୍ଡ ତଥା ୱେଲ୍‌ସ ମିଳିତ ଭାବେ ଆୟୋଜନ କରିବେ। ଏହି ବହୁରାଷ୍ଟ୍ରୀୟ ପ୍ରତିଯୋଗିତା ଜୁନ୍‌ ୧୨ରେ ଆରମ୍ଭ ହୋଇ ଜୁଲାଇ ୫ରେ ଶେଷ ହେବ।

ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଦଳ: ହର୍‌ମନ୍‌ପ୍ରୀତ୍ କୌର (ଅଧିନାୟିକା), ସ୍ମୃତି ମନ୍ଧାନା, ଶେଫାଳୀ ବର୍ମା, ରିଚା ଘୋଷ, ୟାସ୍ତିକା ଭାଟିଆ, ନନ୍ଦାନୀ ଶର୍ମା, କ୍ରାନ୍ତି ଗୌଡ଼, ରାଧା ଯାଦବ, ଜେମିମା ରଡ୍ରିଗ୍ସ, ରେଣୁକା ସିଂହ, ଶ୍ରେୟଙ୍କା ପାଟିଲ, ଶ୍ରୀ ଚାରଣୀ, ଅରୁନ୍ଧତୀ ରେଡ୍ଡୀ, ଅନୁଷ୍କା ଶର୍ମା, ଦୀପ୍ତି ଶର୍ମା।
ଲର୍ଡସ ଟେଷ୍ଟ୍‌ ଦଳ: ହର୍‌ମନ୍‌ପ୍ରୀତ୍‌ କୌର (ଅଧିନାୟିକା), ସ୍ମୃତି ମନ୍ଧାନା, ଶେଫାଳୀ ବର୍ମା, ଜେମିମା ରଡ୍ରିଗ୍ସ, ପ୍ରତୀକା ରାୱଲ, ଶ୍ରୀ ଚାରଣୀ, ୟାସ୍ତିକା ଭାଟିଆ, ନନ୍ଦନୀ ଶର୍ମା, ହର୍ଲିନ ଦେଓଲ, ରେଣୁକା ସିଂହ, କ୍ରାନ୍ତି ଗୌଡ଼, ଶାୟଲୀ ସତଘରେ, ସ୍ନେହ ରାଣା।

 

 

Comments (0)

User