Commercial LPG: ବାଣିଜ୍ୟିକ ଏଲ୍‌ପିଜି ଗ୍ୟାସ୍‌: ୨ ମାସରେ ୧୩୦୦ ଟଙ୍କା ବଢ଼ିଲା

May 02, 2026 - 21:24
0 0
Commercial LPG: ବାଣିଜ୍ୟିକ ଏଲ୍‌ପିଜି ଗ୍ୟାସ୍‌: ୨ ମାସରେ ୧୩୦୦ ଟଙ୍କା ବଢ଼ିଲା

ନୂଆଦିଲ୍ଲୀ/ଭୁବନେଶ୍ବର: ମଧ୍ୟପ୍ରାଚ୍ୟ ଯୁଦ୍ଧର ବଡ଼ ପ୍ରଭାବ ବାଣିଜ୍ୟିକ ଏଲ୍‌ପିଜି ଉପରେ ପଡ଼ିଛି। ରାଷ୍ଟ୍ରାୟତ୍ତ ତେଲ କମ୍ପାନିଗୁଡ଼ିକ ୧୯ କିଗ୍ରା ବିଶିଷ୍ଟ ଏଲ୍‌ପିଜି ସିଲିଣ୍ଡର ଦରରେ ୯୯୩ ଟଙ୍କାର ବଡ଼ ବୃଦ୍ଧି କରିଛନ୍ତି। ଏହା ଫଳରେ ଭୁବନେଶ୍ବରରେ ୧୯ କିଗ୍ରା ବିଶିଷ୍ଟ ବାଣିଜ୍ୟିକ ଏଲ୍‌ପିଜି ଦର ୩୨୬୦ ଟଙ୍କା ୫୦ ପଇସାରେ ପହଞ୍ଚି ଯାଇଛି। ପୂର୍ବରୁ ଏହାର ଦର ୨୨୬୦ ଟଙ୍କା ୫୦ ପଇସା ଥିଲା। ଅର୍ଥାତ୍‌ ଭୁବନେଶ୍ବରରେ ଉକ୍ତ ଦରରେ ୯୯୪ ଟଙ୍କାର ବୃଦ୍ଧି ଘଟିଛି। ସେହିଭଳି ୫ କିଗ୍ରା ବିଶିଷ୍ଟ ବାଣିଜ୍ୟିକ ଏଲ୍‌ପିଜି ଦର ୩୧୨ ଟଙ୍କା ବୃଦ୍ଧି ଘଟି ୮୮୫ ଟଙ୍କାରେ ପହଞ୍ଚିଛି। ମେ ପହିଲାରୁ ଏହାକୁ ଲାଗୁ କରାଯାଇଛି। ତେବେ ଘରୋଇ ଏଲ୍‌ପିଜି ଦରକୁ ଅପରିବର୍ତ୍ତିତ ରଖାଯାଇଛି।

ମଧ୍ୟପ୍ରାଚ୍ୟ ଯୁଦ୍ଧ ପରେ ଦେଶରେ ଗ୍ୟାସ ସଙ୍କଟ ଦେଖାଦେଇଛି। ହର୍ମୁଜ ପ୍ରଣାଳୀ ବନ୍ଦ ରହିଥିବାରୁ ଦେଶକୁ ଗ୍ୟାସ ଆସିବାରେ ଅସୁବିଧା ହେଉଛି। ଏଥିସହିତ ଅନ୍ତର୍ଜାତୀୟ ବଜାରରେ ମଧ୍ୟ ଅଶୋଧିତ ତେଲ ଓ ଗ୍ୟାସ ଦର ବଢ଼ିଯାଇଛି। ସରକାର ଏଥିପାଇଁ ବାଣିଜ୍ୟିକ ଗ୍ୟାସ ଯୋଗାଣ ଉପରେ କଟକଣା ଲଗାଇଛନ୍ତି। ମଧ୍ୟପ୍ରାଚ୍ୟ ଯୁଦ୍ଧ ଫେବ୍ର୍ରୁଆରି ୨୮ ତାରିଖରେ ଆରମ୍ଭ ହେବାପରଠାରୁ ସରକାରୀ କମ୍ପାନିଗୁଡ଼ିକ ବାଣିଜ୍ୟିକ ଏଲ୍‌ପିଜି ଦର ୩ ଥର ବଢ଼ାଇ ସାରିଲେଣି । ଗତ ମାର୍ଚ୍ଚ ୭ ତାରିଖରେ ୧୯ କିଗ୍ରା ବିଶିଷ୍ଟ ବାଣିଜ୍ୟିକ ଏଲ୍‌ପିଜି ଦର ୧୧୫ ଟଙ୍କା ବଢ଼ାଇଥିଲେ । ଏହା ପରେ ଏପ୍ରିଲ ପହିଲାରେ ୧୯୫ ଟଙ୍କା ଏବଂ ମେ ପହିଲାରେ ୯୯୩ ଟଙ୍କା ବଢ଼ାଇଛନ୍ତି । ଦୁଇମାସରୁ କମ୍‌ ସମୟ ମଧ୍ୟରେ ବାଣିଜ୍ୟିକ ଏଲ୍‌ପିଜି ଦର ୧୩୦୦ ଟଙ୍କାରୁ ଅଧିକ ମହଙ୍ଗା ହୋଇଗଲାଣି।

ଆହୁରି ପଢ଼ନ୍ତୁ: LPG: ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ: ଭାରତରେ ୧୩% କମିଲା ଏଲ୍‌ପିଜି ବ୍ୟବହାର

ପୂର୍ବରୁ ବାଣିଜ୍ୟିକ ଏଲ୍‌ପିଜି ଦର ବୃଦ୍ଧି ସହିତ ଉପଲବ୍ଧତା ହ୍ରାସ ପାଇଥିବାରୁ ଅର୍ଥନୀତି ପ୍ରଭାବିତ ହୋଇଥିଲା। ବର୍ତ୍ତମାନର ବୃଦ୍ଧି ପୂର୍ବ ସମସ୍ୟାକୁ ଆହୁରି ଜଟିଳ କରିବ। ଦରରେ ପାଖାପାଖି ୧୦୦୦ ଟଙ୍କାର ବୃଦ୍ଧି କରାଯାଇଥିବାରୁ ରେସ୍ତୋରାଁ, ହୋଟେଲଗୁଡ଼ିକରେ ଖାଦ୍ୟ ପ୍ରସ୍ତୁତି ଖର୍ଚ୍ଚ ବଢ଼ିଯିବ। ଏଥିସହିତ ଏଲ୍‌ପିଜି ବ୍ୟବହାର କରୁଥିବା କଳକାରଖାନାଗୁଡ଼ିକର ଉତ୍ପାଦନ ଖର୍ଚ୍ଚ ମଧ୍ୟ ବଢ଼ିଯିବ। ବୟନଶିଳ୍ପ, କାଚ ଓ ସେରାମିକ ଶିଳ୍ପଠାରୁ ଆରମ୍ଭ କରି ରାସାୟନିକ ଶିଳ୍ପ ଏବଂ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ଆଦି ପ୍ରଭାବିତ ହେବ। ସେହିଭଳି କ୍ଲାଉଡ କିଚେନ ଓ କ୍ୟାଟରିଂ ସେବା ମଧ୍ୟ ବାଧାପ୍ରାପ୍ତ ହେବ । ଏସବୁ ସାଧାରଣ ଖାଉଟିଙ୍କୁ ମଧ୍ୟ କ୍ଷତି ପହଞ୍ଚାଇବ।

Comments (0)

User