Literature: କବିତା ‘ଯୁଦ୍ଧ ବିରତିରେ ପିଲାମାନେ’; କବି ଚିରଶ୍ରୀ ଇନ୍ଦ୍ରସିଂଙ୍କ କଲମରୁ ନିସୃତ...

May 02, 2026 - 21:24
0 1
Literature: କବିତା ‘ଯୁଦ୍ଧ ବିରତିରେ ପିଲାମାନେ’; କବି ଚିରଶ୍ରୀ ଇନ୍ଦ୍ରସିଂଙ୍କ କଲମରୁ ନିସୃତ...

ଯୁଦ୍ଧ ବିରତିରେ ପିଲାମାନେ

ଚିରଶ୍ରୀ ଇନ୍ଦ୍ରସିଂ

ଯୁଦ୍ଧ ବିରତି କହିଲେ ବୟସ୍କମାନେ ଯାହା ବୁଝନ୍ତି
ସେପରି ବୁଝନ୍ତି ନାହିଁ ପିଲାମାନେ।

ବୟସ୍କମାନଙ୍କୁ ଜଣାଥାଏ ଭଲକରି
ଯେ, ଚୁକ୍ତିନାମାର ଆୟୋଜନ, ସନ୍ଧିଚୁକ୍ତି, ଶ୍ବେତପତାକା
ଶାନ୍ତି-ସମ୍ମିଳନୀରେ ପରଷା ଯାଉଥିବା ସ୍ବାଦିଷ୍ଠ କଫିର ସୁଗନ୍ଧି
ଏ ସବୁକିଛି ପ୍ରାୟୋଜିତ
ଯୁଦ୍ଧ ଗୋଟେ ଚିରସ୍ଥାୟୀ ସତ୍ୟ।
ପିଲାମାନଙ୍କ କଥା ଅଲଗା
ସେମାନେ ଭଲପାଆନ୍ତି ବିଶ୍ବାସ
କାନ୍ଥ ନ ଥିବା ଓ ଚଟାଣ ନ ଥିବା
ଘରକୁ ଫେରିଆସି
ସେମାନେ ଖେଳିପାରନ୍ତି ଧୂଳିରେ, ପାଉଁଶରେ
ସେମାନେ ମାଗିପାରନ୍ତି ମହୁ, ଗଣଧର୍ଷିତା ମା’ମାନଙ୍କୁ
ସେମାନେ ତଥାପି ଦେଖିପାରନ୍ତି
ପରୀମାନଙ୍କର ଚୁମ୍‌କିଲଗା ଡେଣାର ହଲଚଲ
ଠିଆଠିଆ ଜଳିଯାଇଥିବା
ସାଇପ୍ରସ ଓ ଖଜୁରି ଗଛର ମଥାନରେ।

ଆହୁରି ପଢ଼ନ୍ତୁ- Trump’S Big Arms Deal!: ସଂସଦର ଅନୁମୋଦନ ବିନା ଟ୍ରମ୍ପଙ୍କ ବଡ଼ ନିଷ୍ପତ୍ତି; ୪ ଉପସାଗରୀୟ ଦେଶକୁ ବିକିବେ କୋଟିଏରୁ ଅଧିକ ଅସ୍ତ୍ରଶସ୍ତ୍ର...

ଅନେକ ବୟସ୍କ ଲୋକ ଯୁଦ୍ଧବିରତିରେ ବି
ଦେଖୁଥାଆନ୍ତି, କେମିତି ଖସିଯାଏ
ସେମାନଙ୍କର ନିଜ ନିଜର ଆଞ୍ଜୁଳାରୁ ନିଜ ନିଜର
ସଞ୍ଚୟ, ସୌଭାଗ୍ୟ, ଭାବ ଓ ଭରସା
ସେମାନେ ପାଳୁଥାଆନ୍ତି, ଗୋପନରେ
ଷଡ଼୍‌ଯନ୍ତ୍ର, ଅଭିଶାପ, ଧ୍ବଂସ, ପ୍ରତିହିଂସା।
ପ୍ରତିଟି ବୟସ୍କ ଲୋକର ଯେହେତୁ ଥାଏ
କେବେ ନା କେବେ, କେଉଁଠି ନା କେଉଁଠି
ଏକାଧିକ ଛୋଟ କି ବଡ଼ ଯୁଦ୍ଧ ପାଇଁ
କିଛି ନା କିଛି ଅବଦାନ,
ସେଇଥିପାଇଁ, ଯୁଦ୍ଧବିରତିରେ
ପ୍ରତିଟି ବିବେକୀ ବୟସ୍କକୁ
ଭୟ ଦେଖାଏ, ତା’ର ଅପରାଧୀ ମନ।

ଆହୁରି ପଢ଼ନ୍ତୁ-Marriage: ଘୋଡ଼ା କି କାର୍‌ ନୁହେଁ..., ହାତୀ ଉପରେ ବସି ରାଜକୀୟ ଶୋଭାଯାତ୍ରାରେ ବାହାରିଲେ ବର

ସାନପିଲାଙ୍କର ସଂପର୍କ ନ ଥାଏ, ଯୁଦ୍ଧର କାରଣ ସହ
ସେମାନେ ଗାଳି ଦେଇପାରିବେ ବୟସ୍କମାନଙ୍କୁ ଯୁଦ୍ଧ ପାଇଁ
ଦେଇପାରିବେ, ବିଭୀଷିକାର ସାକ୍ଷ୍ୟ, ଈଶ୍ବରଙ୍କ ନାମ ନେଇ
ମାଗିପାରିବେ କୈଫିୟତ, ଶସ୍ତ୍ର ପ୍ରତିଯୋଗିତାର
କ୍ଷତିର, କ୍ଷୟର, କ୍ଷତମାନଙ୍କର
ଆଦର୍ଶ ନିରବତାର ଓ ମୁଖର ନିଷ୍ଠୁରତାର
ସାନ ସାନ ପିଲାମାନେ, ଯୁଦ୍ଧବିରତି ବେଳେ
ସ୍ବପ୍ନ ଦେଖିପାରନ୍ତି, ଏକ ଯୁଦ୍ଧହୀନ ଭବି‌ଷ୍ୟତର
ସେଇଥିପାଇଁ
ଯୁଦ୍ଧ ହାରିଯାଏ ପ୍ରତିଥର।

ମୋ: ୮୦୧୮୪୨୦୫୧୭

Comments (0)

User