Matriculation exams: ମାଟ୍ରିକ୍ ପରୀକ୍ଷାରେ ୯୫.୩୩ % ପାସ୍: ସବୁଥିରେ ଛାତ୍ରୀ ଆଗରେ

କଟକ: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଓଡ଼ିଆ ମାଧ୍ୟମ ଦଶମ ବୋର୍ଡ (ମାଟ୍ରିକ୍)-୨୦୨୬ ପରୀକ୍ଷାଫଳ ଆଜି ପ୍ରକାଶ ପାଇଛି। ଚଳିତ ବର୍ଷ ୯୫.୩୩ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ଏଥର ମଧ୍ୟ ଛାତ୍ର (୯୪.୨୯%)ଙ୍କ ତୁଳନାରେ ଛାତ୍ରୀଙ୍କ (୯୬.୩୭%) ପାସ୍ହାର ଅଧିକ ରହିଛି। ଏ-୧ ଗ୍ରେଡ୍ରେ ବି ଛାତ୍ର (୧୧୭୭)ଙ୍କ ତୁଳନାରେ ଅଧିକ ଛାତ୍ରୀ (୧୨୭୬) ପାସ୍ କରିଛନ୍ତି। ଗତବର୍ଷ (୯୪.୬୯%) ତୁଳନାରେ ପାସ୍ହାର ବଢ଼ିବା ସହିତ ଏ-୧ ଗ୍ରେଡ୍ (୯୦ %)ରେ ପାସ୍ କରିଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଇଛି। ୨୦୨୫ରେ ୧୮୧୨ ଜଣ ଏ-୧ରେ ପାସ୍ କରିଥିବା ବେଳେ ଚଳିତ ବର୍ଷ ଏହି ସଂଖ୍ୟା ୨୪୫୬କୁ ବୃଦ୍ଧି ପାଇଛି। ଆଜି ଅପରାହ୍ଣରେ ବୋର୍ଡ କାର୍ଯ୍ୟାଳୟରେ ମାଟ୍ରିକ୍ ପରୀକ୍ଷାଫଳ ଘୋଷଣା ସମୟରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ସଚିବ ଏନ୍. ତିରୁମାଲା ନାୟକ, ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ, ଉପସଭାପତି ଅମୂଲ୍ୟ ପ୍ରଧାନ, ସଂପାଦକ ସରୋଜ କୁମାର ବେହେରା, ପରୀକ୍ଷା ନିୟନ୍ତ୍ରକ ଧରଣୀଧର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।
CBSE 10th Exam: ସିବିଏସ୍ଇ ଦଶମ ପରୀକ୍ଷା ଫଳ: ଟିନା ରଥ ଦେଶରେ ଟପର୍, ୫୦୦ରୁ ୫୦୦ ମାର୍କ ରଖି ରେକର୍ଡ କଲେ
ମାଟ୍ରିକ୍ ପରୀକ୍ଷା ସଂପର୍କରେ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍ତି ଯେ ଚଳିତ ବର୍ଷ ୫ ଲକ୍ଷ ୪୪ ହଜାର ୬୭୦ ଜଣ ଛାତ୍ରଛାତ୍ରୀ ଫର୍ମପୂରଣ କରିଥିବା ବେଳେ ୫ ଲକ୍ଷ ୩୬ ହଜାର ୩୦୬ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ପାସ୍ କରିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨୪୫୬ ଜଣ ଏ-୧ରେ ପାସ୍ କରିଥିବା ବେଳେ ଏ-୨ (୮୦-୮୯%)ରେ ୧୫ ହଜାର ୬୮୧ ଜଣ, ବି-୧ (୭୦-୭୯%)ରେ ୪୩ ହଜାର ୫୬୫ ଜଣ, ବି-୨ (୬୦-୬୯%)ରେ ୮୬ ହଜାର ୧୦୩ ଜଣ, ସି (୫୦-୫୯%)ରେ ୧ ଲକ୍ଷ ୨୯ ହଜାର ୮୧୩ ଜଣ, ଡି (୪୦-୪୯%)ରେ ୧ ଲକ୍ଷ ୪୬ ହଜାର ୧୫୨ ଜଣ, ଇ (୩୩-୩୯%)ରେ ୯୫ ହଜାର ୪୮୧ ଜଣ ପାସ୍ କରିଛନ୍ତି। ୩୩୧୦ ସ୍କୁଲରେ ସବୁ ଛାତ୍ରଛାତ୍ରୀ ପାସ୍ କରିଥିବା ବେଳେ ୩ଟି ସ୍କୁଲ୍ରେ କେହି ପାସ୍ କରି ନାହାନ୍ତି। ଗଜପତି ଜିଲ୍ଲାରେ ସର୍ବାଧିକ ପାସ୍ ପ୍ରତିଶତ (୯୯.୩୧%) ରହିଥିବା ବେଳେ ପରକୁ ପର ପାସ୍ହାର ରହିଛି ଗଞ୍ଜାମ (୯୮.୨୫%) ଓ କନ୍ଧମାଳ (୯୮.୧୭%) ଜିଲ୍ଲାରେ। ଏ-୧ରେ ପାସ୍ ସଂଖ୍ୟା ସର୍ବାଧିକ ବାଲେଶ୍ବର (୩୦୫) ଜିଲ୍ଲାରେ ରହିଥିବା ବେଳେ ପରକୁ ପର ରହିଛନ୍ତି ଗଞ୍ଜାମ (୩୦୪) ଓ କଟକ (୨୮୫) ଜିଲ୍ଲା। ଚଳିତବର୍ଷ କୌଣସି ଛାତ୍ରଛାତ୍ରୀ ମାଲ୍ପ୍ରାକ୍ଟିସ୍ ହୋଇ ନାହାନ୍ତି କି କୌଣସି ଛାତ୍ରଛାତ୍ରୀଙ୍କର ପରୀକ୍ଷାଫଳ ସ୍ଥଗିତ ବା ୱିଥ୍ହେଲ୍ଡ ହୋଇନାହିଁ।
ଚଳିତ ବର୍ଷ ଏକ୍ସରେଗୁଲାର ଛାତ୍ରଛାତ୍ରୀଙ୍କ ପାସ୍ହାର ୧୪.୧୬ ପ୍ରତିଶତ ରହିଥିବା ବେଳେ ପତ୍ରମାଧ୍ୟମ ରେଗୁଲାର ଛାତ୍ରଛାତ୍ରୀଙ୍କ ପାସ୍ହାର ୪୬.୮୭ ପ୍ରତିଶତ, ପତ୍ରମାଧ୍ୟମ ଏକ୍ସ ରେଗୁଲାର ଛାତ୍ରଛାତ୍ରୀଙ୍କ ପାସ୍ହାର ୨୫.୬୧ ପ୍ରତିଶତ ରହିଛି। ମଧ୍ୟମାରେ ପାସ୍ହାର ୮୭. ୩ ପ୍ରତିଶତ ରହିଥିବା ବେଳେ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷାରେ ପାସ୍ହାର ରହିଛି ୫୯.୮୨ ପ୍ରତିଶତ। ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷାରେ ୨୨ ଜଣ ଏ-୧ରେ ପାସ୍ କରିଛନ୍ତି। ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇଙ୍କ ସୂଚନା ଅନୁଯାୟୀ ଚଳିତ ବର୍ଷ ପ୍ରଥମ ଥର ଛାତ୍ରଛାତ୍ରୀଙ୍କୁ ଉଭୟ ଓଡ଼ିଆ ଓ ଇଂରାଜୀରେ ଲେଖାଥିବା ସାର୍ଟିଫିକେଟ୍ ପ୍ରଦାନ କରାଯିବ। ଓକାକ୍ ପକ୍ଷରୁ ଡିଜିଟାଲ୍ ସାର୍ଟିଫିକେଟ୍ ଅନ୍ଲାଇନ୍ରେ ଉପଲବ୍ଧ ହେବ, ଯାହାକୁ ଛାତ୍ରଛାତ୍ରୀମାନେ ନିର୍ଦ୍ଦିଷ୍ଟ ପ୍ରକ୍ରିୟାରେ ଡାଉନ୍ଲୋଡ୍ କରିପାରିବେ। ପରବର୍ତ୍ତୀ ପର୍ଯ୍ୟାୟରେ ଛାତ୍ରଛାତ୍ରୀଙ୍କ ସାର୍ଟିଫିକେଟ୍ ସେମାନଙ୍କ ସ୍କୁଲକୁ ପଠାଇ ଦିଆଯିବ। ଯେଉଁ ଛାତ୍ରଛାତ୍ରୀମାନଙ୍କର ପରୀକ୍ଷାଫଳକୁ ନେଇ ସନ୍ଦେହ ରହିଛି ସେମାନେ ରି ଚେକିଂ ଓ ରି-ଆଡିସନ୍ ପାଇଁ ଆବେଦନ କରିପାରିବେ। ଏ ସଂପର୍କିତ ସୂଚନା ବୋର୍ଡ ପକ୍ଷରୁ ମେ’ ୪ ତାରିଖରେ ଜାରି କରାଯିବ। ନିର୍ଦ୍ଦିଷ୍ଟ ଦେୟ ଦାଖଲ କରି ଛାତ୍ରଛାତ୍ରୀମାନେ ନିଜ ଉତ୍ତରଖାତାର କପି ମଧ୍ୟ ପାଇପାରିବେ। ମାଟ୍ରିକ୍ ସପ୍ଲିମେଣ୍ଟାରି ପରୀକ୍ଷା ପାଇଁ ଫର୍ମପୂରଣ ମେ’ ୮ରୁ ଅନ୍ଲାଇନ୍ରେ ଆରମ୍ଭ ହୋଇ ମେ’ ୧୮ ତାରିଖ ପର୍ଯ୍ୟନ୍ତ ଚାଲିବ। ଜୁଲାଇ ପ୍ରଥମ ସପ୍ତାହରେ ମାଟ୍ରିକ୍ ସପ୍ଲିମେଣ୍ଟାରି ପରୀକ୍ଷା ଅନୁଷ୍ଠିତ ହେବ। ସୂଚନାଯୋଗ୍ୟ, ଚଳିତବର୍ଷ ରାଜ୍ୟର ୩୦୮୨ଟି କେନ୍ଦ୍ରରେ ଫେବ୍ରୁଆରି ୧୯ରୁ ମାର୍ଚ୍ଚ ୨ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ଅନୁଷ୍ଠିତ ହୋଇଥିବା ବେଳେ ମାର୍ଚ୍ଚ ୧୯ରୁ ଏପ୍ରିଲ ୨ ତାରିଖ ପର୍ଯ୍ୟନ୍ତ ଖାତାଦେଖା ଚାଲିଥିଲା।
Comments (0)