SOP: ଖୁବ୍ ଶୀଘ୍ର ଆସିବ ଜମିଜମା ରେକର୍ଡିଂ ସମ୍ଵନ୍ଧୀୟ ସଂଶୋଧିତ ଏସଓପି

May 02, 2026 - 21:24
0 1
SOP: ଖୁବ୍ ଶୀଘ୍ର ଆସିବ ଜମିଜମା ରେକର୍ଡିଂ ସମ୍ଵନ୍ଧୀୟ ସଂଶୋଧିତ ଏସଓପି

ଭୁବନେଶ୍ୱର: ଓଡିଶା ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସରକାରୀ ଏବଂ ବେସରକାରୀ ଜମିର ରେକର୍ଡିଂ ସମ୍ବନ୍ଧୀୟ ବର୍ତ୍ତମାନ ପ୍ରଚଳିତ ଷ୍ଟାଣ୍ଡାର୍ଡ୍ ଅପରେଟିଙ୍ଗ ପ୍ରୋସିଜିଅର୍ (ଏସଓପି) ପୁସ୍ତିକାମାନଙ୍କର ପୁନର୍ବିଚାର ଓ ସଂଶୋଧନ କରିବା ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛିl ରାଜ୍ୟ ସରକାରଙ୍କ ନିଷ୍ପତ୍ତିକ୍ରମେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ ପାଢ଼ୀ ସରକାରୀ ଜମି ଏବଂ ରୟତି ଜମି ରେକର୍ଡ୍ କରିବା ପ୍ରଣାଳୀ ନିମନ୍ତେ ସଂଶୋଧିତ ଏସଓପି ଖସଡ଼ା ପ୍ରସ୍ତୁତି ନିମନ୍ତେ ନିର୍ଦ୍ଦେଶ ଜାରି କରିଛନ୍ତିl

ଉକ୍ତ ଏସଓପି ପୁସ୍ତିକାଗୁଡ଼ିକର ଶେଷ ସଂସ୍କରଣ ୧୯୯୦ ମସିହାରେ ପ୍ରକାଶିତ ହୋଇଥିଲା। ତେବେ ନୀତି, ନିୟମ ଓ ପ୍ରଶାସନିକ ପରିଚାଳନାରେ ସମୟାନୁକ୍ରମେ ପରିବର୍ତ୍ତନ ଦୃଷ୍ଟିରୁ ଏହାର ସାମଗ୍ରିକ ସଂଶୋଧନ ଆବଶ୍ୟକ ମନେ କରାଯାଇଛି।

ଏହି କମିଟିର ଅଧ୍ୟକ୍ଷ ଭାବେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ସ୍ଵତନ୍ତ୍ର ଶାସନ ସଚିବ ଅବସ୍ଥାପିତ ହୋଇଥିବା ବେଳେ ସଦସ୍ୟମାନଙ୍କ ଭିତରେ ଚକବନ୍ଦୀ ଏବଂ ବନ୍ଦୋବସ୍ତର ଅତିରିକ୍ତ ସଚିବ (ସିଏଚ ଆଣ୍ଡ୍ ଏସ), ଜମି ରେକର୍ଡ଼ ଏବଂ ସର୍ଭେ, ଓଡ଼ିଶାର ନିର୍ଦ୍ଦେଶକ (ଡିଏଲଆର୍ ଆଣ୍ଡ୍ ଏସ୍), ରାଜସ୍ୱ ପର୍ଷଦ, ଓଡ଼ିଶାର ସଚିବ ଏବଂ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଯୁଗ୍ମ ଶାସନ ସଦସ୍ୟ-ସଂଯୋଜକ ଭାବେ ରହିବେ।

ଆହୁରି ପଢ଼ନ୍ତୁ: Review By Minister Suresh Pujari ଝାରସୁଗୁଡ଼ା ବ୍ଲକର ବିଭିନ୍ନ ଉନ୍ନୟନ ପ୍ରକଳ୍ପର ସମୀକ୍ଷା କଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ

କମିଟିର କାର୍ଯ୍ୟ ପରିସର ଏବଂ ସର୍ତ୍ତାବଳୀ ଅନୁଯାୟୀ, ୧୯୯୦ରେ ଜାରି ହୋଇଥିବା ଏସଓପି ଗୁଡ଼ିକର ସମୀକ୍ଷା, ଏପର୍ଯ୍ୟନ୍ତ ପ୍ରଣୀତ ନୂତନ ଆଇନ, ନିୟମ, ସରକାରୀ ସର୍କୁଲାର୍ ଓ ପରବର୍ତ୍ତୀ ନିର୍ଦ୍ଦେଶଗୁଡ଼ିକର ଆଲୋଚନା ସହ ସରଳ ଓଡିଆ ଓ ଇଂରାଜୀରେ ନୂତନ ଏସଓପି ଖସଡ଼ା ପ୍ରସ୍ତୁତି କରିବା ନିମନ୍ତେ କମିଟିକୁ ନିର୍ଦ୍ଦେଶ ଜାରି କରାଯାଇଛିl

କମିଟିକୁ ଏହି ଆଦେଶ ଜାରି ହେବାର ତାରିଖରୁ ଏକ ମାସ ମଧ୍ୟରେ ସଂଶୋଧିତ ଏସଓପି ପୁସ୍ତିକାର ଖସଡ଼ା ସରକାରଙ୍କ ନିକଟରେ ଅନୁମୋଦନ ପାଇଁ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆବଶ୍ୟକତାନୁସାରେ କମିଟି ଅନ୍ୟ ବିଶେଷଜ୍ଞ ଓ ଅଧିକାରୀମାନଙ୍କୁ ନିୟୋଜିତ କରି ସେମାନଙ୍କର ସହଯୋଗ ମଧ୍ଯ ନେଇପାରିବl ଏହି ପଦକ୍ଷେପ ରାଜ୍ୟରେ ଜମି ପରିଚାଳନା ପ୍ରଣାଳୀକୁ ଆଧୁନିକ କରିବା ତଥା ପାରଦର୍ଶିତା ବଢ଼ାଇବା ସହ ଆଇନଗତ ଏବଂ ପ୍ରଶାସନିକ ଢାଞ୍ଚାକୁ ଆହୁରି ସୁଦୃଢ କରିବା ପ୍ରତି ସରକାରଙ୍କ ପ୍ରତିବଦ୍ଧତାକୁ ପ୍ରକାଶ କରେl

Comments (0)

User