Odisha Gymnastics: ଓଡ଼ିଶା ଜିମ୍ନାଷ୍ଟିକ୍ସର ତ୍ରିମୂର୍ତ୍ତି

ସୁରେଶ ସ୍ବାଇଁ
ଜିମ୍ନାଷ୍ଟିକ୍ସ ଭଳି ବିପଜ୍ଜନକ ଖେଳରେ ଓଡ଼ିଶାର ସ୍ଥିତି ଓ ସଫଳତା ସୀମିତ ରହିଥିଲେ ମଧ୍ୟ ଡେର କିଛି ବର୍ଷ ହେବ ରାକେଶ ପାତ୍ରଙ୍କ ପାଇଁ ରାଜ୍ୟର ସୁନାମ ବଢ଼ିଛି। ରାକେଶଙ୍କ ସଫଳତାକୁ ପୁଞ୍ଜିକରି ଓଡ଼ିଶା ଜିମ୍ନାଷ୍ଟିକ୍ସ ମଧ୍ୟ ଆଗେଇଛି। ମୋଟା ମୋଟି ଭାବେ କହିଲେ ରାକେଶ ହିଁ ଓଡ଼ିଶାର ଜିମ୍ନାଷ୍ଟିକ୍ସ ଚେହେରା। ଏବେ କିନ୍ତୁ ଏକ ନୂଆ ଚର୍ଚ୍ଚା ଉଭା ହୋଇଛି ଓଡ଼ିଶା ଖେଳ ଦୁନିଆରେ। ଏହି ଆକର୍ଷଣୀୟ ଖେଳର ସଫଳ ଦ୍ରୋଣାଚାର୍ଯ୍ୟ ଭାବେ ପରିଚିତ ଗୁରୁ ଅଶୋକ ମିଶ୍ରଙ୍କ ନିରନ୍ତର ଅବଦାନ ଏବଂ ଯୁବ ତାରକା ତପନ ମହାନ୍ତିଙ୍କ ଉଦୟ ହିଁ ଏହି ଚର୍ଚ୍ଚାକୁ ଖୋରାକ ଯୋଗାଇଛି। ଗୁରୁ ଶିଷ୍ୟ ପରମ୍ପରାକୁ ଆଗକୁ ନେଇ ଏହି ତିନି ପୁରୀ ପ୍ରତିଭା ଏବେ ଅସୁମାରି ସ୍ବପ୍ନ ସୃଷ୍ଟି କରିଛନ୍ତି। ଅଶୋକ ମିଶ୍ର ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଜଣେ ଖ୍ୟାତନାମା ପ୍ରଶିକ୍ଷକ ଭାବେ ଢେର ସୁନାମ କମାଇଛନ୍ତି। ଅବସର ପରେ ବି ପ୍ରଶିକ୍ଷଣ ଓ ପରିଚାଳନାଗତ ଦକ୍ଷତା ପାଇଁ ଅଶୋକ ମିଶ୍ରଙ୍କ ବିନା ଭାରତୀୟ ଜିମ୍ନାଷ୍ଟିକ୍ସ ଆଗକୁ ଦେଖିପାରୁନାହିଁ। ସେହିଭଳି ତାଙ୍କ ଶ୍ରେଷ୍ଠ ଶିଷ୍ୟ ରାକେଶ ପାତ୍ର ପ୍ରାୟ ଦେଢ଼ ଦଶନ୍ଧି ଧରି ଜାତୀୟ ସ୍ତରରେ ପ୍ରାଧାନ୍ୟ ବିସ୍ତାର କରିବା ପରେ ଏବେ ନୌସେନାରୁ ସ୍ବେଚ୍ଛାକୃତ ଅବସର ନେଇ ଭାରତୀୟ ଦଳର ପ୍ରଶିକ୍ଷଣ ଦାୟିତ୍ବ ଗ୍ରହଣ କରିଛନ୍ତି। ରାକେଶଙ୍କ ପଦାଙ୍କ ଅନୁସରଣ କରିବା ପରେ ଅଶୋକ ମିଶ୍ରଙ୍କ ଅନ୍ୟତମ ଛାତ୍ର ତପନ ମହାନ୍ତିଙ୍କ ଜାତୀୟ ସଫଳତା ମଧ୍ୟ ଏହି ଧାରାକୁ ଆଗକୁ ନେଇଛି।
Indian Indoor Open: ଇଣ୍ଡିଆନ୍ ଇନ୍ଡୋର୍ ଓପନ୍: କୁଲଦୀପଙ୍କ ରେକର୍ଡ
ଅଶୋକ ମିଶ୍ର: ଭାରତୀୟ ଜିମ୍ନାଷ୍ଟିକ୍ସ ଜଗତରେ ଅଶୋକ ମିଶ୍ର ନିଜ ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ସତୁରୀ ଅଶୀ ଦଶକରେ ଜଣେ ଖେଳାଳି ଭାବେ ଆସିଥିବା ଶ୍ରୀ ମିଶ୍ରଙ୍କ ଘର ନିମାପଡ଼ା ନିକଟସ୍ଥ ତରଡ଼ାପଡ଼ାରେ। ପୁରୀ, କଟକ, କୋଲକାତା ପରେ ଏବେ ଭୁବନେଶ୍ବର ତାଙ୍କ କର୍ମକ୍ଷେତ୍ର। ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ)ର ପ୍ରଶିକ୍ଷକ ଭାବେ ଦେଶକୁ ଏକାଧିକ ଅନ୍ତର୍ଜାତୀୟ ପଦକ ବିଜେତା ଦେଇଛନ୍ତି। କେବଳ ରାକେଶ ପାତ୍ର, ତପନ ମହାନ୍ତି, ଅଶ୍ବନୀ ସାମନ୍ତରାୟ, ଶୁଭେନ୍ଦୁ ପାତ୍ର ନୁହନ୍ତି ରାଜ୍ୟର ଅଧିକାଂଶ ସଫଳ ଜିମ୍ନାଷ୍ଟଙ୍କ ପଛରେ ରହିଛି ଅଶୋକ ମିଶ୍ରଙ୍କ ପ୍ରଚ୍ଛନ୍ନ ହାତ। ଅଧୁରା ଖେଳ ଜୀବନ ପରେ ୧୯୮୭ରୁ ଶ୍ରୀ ମିଶ୍ର ଭାରତୀୟ ଦଳର ପ୍ରଶିକ୍ଷକ ଭାବେ ୪ ଥର ଏସୀୟ କ୍ରୀଡ଼ା, ୪ ଥର ରାଜ୍ୟଗୋଷ୍ଠୀ କ୍ରୀଡ଼ା ସହ ବହୁବାର ବିଶ୍ବକପ୍ରେ ନିଜ ଭୂମିକା ତୁଲାଇ ପ୍ରଶଂସିତ ହୋଇଛନ୍ତି। ଓଡ଼ିଶା ସରକାର ମଧ୍ୟ ଶ୍ରୀ ମିଶ୍ରଙ୍କ ଅବଦାନକୁ ସ୍ବୀକୃତି ଜଣାଇ ରାଜ୍ୟର ଶ୍ରେଷ୍ଠ ସମ୍ମାନ ‘ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର’ ପ୍ରଦାନ କରିଛନ୍ତି। ସମ୍ପ୍ରତି ଶ୍ରୀ ମିଶ୍ର କଳିଙ୍ଗ ଷ୍ଟାଡିୟମସ୍ଥିତ ‘ଓଡ଼ିଶା ଏଏମ୍ଏନ୍ଏସ୍ ଜିମ୍ନାଷ୍ଟିକ୍ସ ହାଇ ପରଫର୍ମାନ୍ସ ସେଣ୍ଟର୍’ର ଦାୟିତ୍ବରେ ରହି ଭାରତୀୟ ଜିମ୍ନାଷ୍ଟିକ୍ସକୁ ଆଗକୁ ନେବାକୁ ସଙ୍କଳ୍ପବଦ୍ଧ ଅଛନ୍ତି। ‘ଓଡ଼ିଶାକୁ ଆସନ୍ତା ୨/୩ ବର୍ଷ ଭିତରେ ଜିମ୍ନାଷ୍ଟିକ୍ସରେ ଭଲ ସଫଳତା ମିଳିବ’ ବୋଲି ୬୪ ବର୍ଷୀୟ ଶ୍ରୀ ମିଶ୍ର ଆଶାବ୍ୟକ୍ତ କରିଛନ୍ତି।
ରାକେଶ ପାତ୍ର: ଅଶୋକ ମିଶ୍ର ଓ ପ୍ରଦୀପ ସାହୁଙ୍କ ତତ୍ତ୍ବାବଧାନରେ ଜିମ୍ନାଷ୍ଟିକ୍ସ ପ୍ରଶିକ୍ଷଣ ଆରମ୍ଭ କରିଥିବା ରାକେଶ ରାଜ୍ୟର ଶ୍ରେଷ୍ଠ ଖେଳାଳିଭାବେ ପରିଚିତ। ପୁରୀ ଆାଖଡ଼ା ତଥା ଜାଗାଘର ସଂସ୍କୃତିରୁ ବାହାରିଥିବା ଶ୍ରୀ ପାତ୍ର ପ୍ରାରମ୍ଭିକ ଜୀବନରେ ନିଜ ସମ୍ପର୍କୀୟ ଶୁଭେନ୍ଦୁ ପାତ୍ରଙ୍କ ପ୍ରେରଣା ପାଇଥିଲେ। କିନ୍ତୁ ରାକେଶଙ୍କୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚିବାକୁ ଶାଣିତ କରିଥିଲେ ଅଶୋକ ମିଶ୍ର। ଅଢ଼େଇ ଦଶନ୍ଧି ଧରି ରାକେଶ ଜାତୀୟ ସ୍କୁଲ୍ କ୍ରୀଡ଼ାଠାରୁ ଆରମ୍ଭ କରି ଅନ୍ତର୍ଜାତୀୟ ମଇଦାନ ପର୍ଯ୍ୟନ୍ତ ନିଜ ଜିମ୍ନାଷ୍ଟିକ୍ସ କଳା କୌଶଳ ଦେଖାଇଛନ୍ତି। କେବଳ ଜାତୀୟ ସ୍ତରରୁ ୩୪ ସ୍ବର୍ଣ୍ଣ, ୩୦ ରୌପ୍ୟ, ୧୭ କାଂସ୍ୟ ପଦକ ଜିତିବା ସହ ଏକାଧିକ ଥର ଅଲ୍ରାଉଣ୍ଡ୍ ମୁକୁଟ ଜିତିଛନ୍ତି। ଅନ୍ତର୍ଜାତୀୟ ସ୍ତରରେ ବି ରାକେଶଙ୍କ ପଦକ ପ୍ରାୟ ଏକ ଡଜନ (୧୧)। ଏହା ଭିତରେ ରହିଛି ୪ ସ୍ବର୍ଣ୍ଣ ପଦକ। ଓଡ଼ିଶା ଭଳି ଅଣଜିମ୍ନାଷ୍ଟିକ୍ସ ପରିବେଶରୁ ବାହାରିଥିଲେ ମଧ୍ୟ ରାକେଶ ଏସୀୟ କ୍ରୀଡ଼ା, ରାଜ୍ୟଗୋଷ୍ଠୀ କ୍ରୀଡ଼ା, ଜିମ୍ନାଷ୍ଟିକ୍ସ ବିଶ୍ବକପ୍, ଜିମ୍ନାଷ୍ଟିକ୍ସ ବିଶ୍ବ ପ୍ରତିଯୋଗିତା ଭଳି ବଡ଼ ମଞ୍ଚରେ ବି ପହଞ୍ଚିପାରିଛନ୍ତି। ନୌସେନାରୁ ସ୍ବେଛାକୃତ ଅବସର ନେଇ ୩୪ ବର୍ଷୀୟ ରାକେଶ ଏବେ ଜିମ୍ନାଷ୍ଟ ଗଢ଼ିବା କାମରେ ନିୟୋଜିତ ହୋଇଛନ୍ତି। ‘ଖେଳାଳି ଜୀବନରେ ମୁଁ ପାଇଥିବା ଅଭିଜ୍ଞତାକୁ ଉପଯୋଗ କରିବି। ତେବେ ଖେଳାଳି ଜୀବନ ତୁଳନାରେ ପ୍ରଶିକ୍ଷଣ ଜୀବନ ଅଧିକ ଆହ୍ବାନପୂର୍ଣ୍ଣ ଓ କଷ୍ଟକର’ ବୋଲି ସ୍ବୀକାର କରିଥିଲେ ରାକେଶ।
ତପନ ମହାନ୍ତି: ପ୍ରବଳ ଇଛା ବା ଇଛାଶକ୍ତି ଜଣଙ୍କୁ ସଫଳତା ଆଡ଼କୁ ବାଟ କଢ଼ାଇନିଏ। ଏହାର ଶ୍ରେଷ୍ଠ ଉଦାହରଣ ହେଉଛନ୍ତି ତପନ ମହାନ୍ତି। ରାକେଶ ମାଲଖମ୍ବ ଖେଳିବାକୁ ଆସିଥିଲେ, ତପନ କିନ୍ତୁ କ୍ରୀଡ଼ା ଛାତ୍ରାବାସର କୁସ୍ତି ଟ୍ରାଏଲ୍ ପାଇଁ ଆସି ଜିମ୍ନାଷ୍ଟିକ୍ସ ପ୍ରେମରେ ପଡ଼ିଯାଇଥିଲେ। ‘ମୋତେ ସେଦିନ ଜିମ୍ନାଷ୍ଟିକ୍ସ ଭାରି ଭଲ ଲାଗିଥିଲା, ଆଉ ତୁରନ୍ତ ସାମିଲ ହୋଇଯାଇଥିଲି’ ବୋଲି ଦେଢ଼ ଦଶନ୍ଧି ତଳର ସ୍ମୃତିକୁ ମନେ ପକାଇ କହିଥିଲେ ତପନ। ୨୦୨୨ ମସିହା ପର୍ଯ୍ୟନ୍ତ ତପନଙ୍କ ସମ୍ପର୍କରେ ବିଶେଷ ଆଲୋଚନା ହୋଇ ନ ଥିଲା। ସେତେବେଳେକୁ ତପନ କନିଷ୍ଠ ବର୍ଗରେ ଜାତୀୟ ସ୍ବର୍ଣ୍ଣ (୨୦୧୯) ଓ ବରିଷ୍ଠ ବର୍ଗରେ ରୌପ୍ୟ (୨୦୨୨) ଜିତିସାରିଥିଲେ। ୨୦୨୩ ଏସୀୟ କ୍ରୀଡ଼ା ଯୋଗ୍ୟତା ଅର୍ଜନ ତପନଙ୍କ କ୍ୟାରିୟରର ବଡ଼ ଲମ୍ପ ଭଳି ଥିଲା। ସେହିବର୍ଷ ସେ ଜାତୀୟ କ୍ରୀଡ଼ାରେ ଷ୍ଟିଲ୍ ରିଙ୍ଗ୍ସ ଓ ପାରାଲାଲ୍ ବାର୍ସରେ ଗୋଟିଏ ଲେଖାଏଁ ରୌପ୍ୟ ପଦକ ଜିତି ଗୌରବ ଆଣିଥିଲେ। ୨୦୨୪ରେ ଜାତୀୟ ବରିଷ୍ଠ ଆର୍ଟିଷ୍ଟିକ୍ ଜିମ୍ନାଷ୍ଟିକ୍ସରେ ୨ ରୌପ୍ୟ ଏବଂ ୨୦୨୬ରେ ବରିଷ୍ଠ ବର୍ଗର ଆର୍ଟିଷ୍ଟିକ୍ସ ଜିମ୍ନାଷ୍ଟିକ୍ସରେ ଅଲରାଉଣ୍ଡ୍ ସ୍ବର୍ଣ୍ଣ ପଦକ ଜିତି ନିଜକୁ ପୁଣି ଥରେ ପ୍ରମାଣିତ କରିଥିଲେ। ୨୦୨୫ ମସିହା ମଧ୍ୟ ତପନଙ୍କ ପାଇଁ ଉଲ୍ଲେଖନୀୟ ସଫଳତାର ବର୍ଷ ଥିଲା। ଡେରାଡୁନ୍ ଜାତୀୟ କ୍ରୀଡ଼ାରେ ୩ ସ୍ବର୍ଣ୍ଣ, ୧ କାଂସ୍ୟ ଏବଂ ପୁଣେ ଜାତୀୟ ଆର୍ଟିଷ୍ଟିକ୍ସ ଜିମ୍ନାଷ୍ଟିକ୍ସ ପ୍ରତିଯୋଗିତାରେ ୧ ସ୍ବର୍ଣ୍ଣ, ୨ ରୌପ୍ୟ ପଦକ ପାଇଥିଲେ। ‘ଏବେ ବଡ଼ ଲକ୍ଷ୍ୟରେ ରହିଛି, ଯୋଜନା ଓ ପ୍ରସ୍ତୁତି ଚାଲିଛି। ପ୍ରଭୁ ଜଗନ୍ନାଥଙ୍କ ଉପରେ ଭରସା ରଖିଛି’ ବୋଲି କହି ତପନ ତାଙ୍କ ସ୍ବପ୍ନର ଗୋପନୀୟତା ରଖିଥିଲେ। ପୂର୍ବତନ କୁସ୍ତିଯୋଦ୍ଧା ଲୋକନାଥ ମହାନ୍ତିଙ୍କ ପୁଅ ତପନ ନିଶ୍ଚିତ ଭାବେ ଚଳିତ ବର୍ଷର ଏସୀୟ କ୍ରୀଡ଼ା ଓ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଉପରେ ନଜର ରଖିଛନ୍ତି।
Comments (0)