BSE Results: ମାଟ୍ରିକ ପରୀକ୍ଷାରେ ମାଲକାନଗିରି ଜିଲ୍ଲାର ବାଜିମାତ

May 02, 2026 - 21:24
0 0
BSE Results: ମାଟ୍ରିକ ପରୀକ୍ଷାରେ ମାଲକାନଗିରି ଜିଲ୍ଲାର ବାଜିମାତ

ମାଲକାନଗିରି(ପ୍ରେମେନ୍ଦ୍ର ପରିଚ୍ଛା): ଚଳିତ ବର୍ଷର ବାର୍ଷିକ ମାଧ୍ୟମିକ ପରୀକ୍ଷା ଫଳରେ ମାଲକାନଗିରି ଜିଲ୍ଲା ଏକ ଗୌରବମୟ ସଫଳତା ହାସଲ କରିଛି। ଜିଲ୍ଲାର ପାସ୍ ହାର ରାଜ୍ୟର ହାରାହାରି ପାସ୍ ହାରଠାରୁ ଅଧିକ ରହିବା ସହ ଦକ୍ଷିଣ ଓଡ଼ିଶାର ଅନ୍ୟ ଜିଲ୍ଲାମାନଙ୍କ ମଧ୍ୟରେ ମାଲକାନଗିରି ସର୍ବାଧିକ ଏ ଗ୍ରେଡ୍ ପାଇ ଶୀର୍ଷରେ ରହିଛି।

ବିଶେଷ କରି ବାଲିମେଳାସ୍ଥିତ ପି.ଏମ. ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଶୁଭଶ୍ରୀ ନାୟକ ମୋଟ ୫୬୫ ନମ୍ବର (୯୪.୧୬%) ରଖି ଜିଲ୍ଲା ଟପ୍ପର ହୋଇଛନ୍ତି। ଆଜି ପ୍ରକାଶ ପାଇଥିବା ବାର୍ଷିକ ମାଧ୍ୟମିକ ପରୀକ୍ଷା ଫଳରେ ମାଲକାନଗିରି ଜିଲ୍ଲାରୁ ୨୨ ଜଣ ଛାତ୍ରଛାତ୍ରୀ ୯୦ ପ୍ରତିଶତ ଅଧିକ ମାର୍କ ରଖି କୃତିତ୍ଵ ଅର୍ଜନ କରିଥିବା ବେଳେ ୬୬ ଜଣ ୮୦ ପ୍ରତିଶତରୁ ଅଧିକ ମାର୍କ ରଖିଛନ୍ତି। ଯେତେବେଳେ କି ଦକ୍ଷିଣ ଓଡ଼ିଶା ରାଜ୍ୟ ଯଥା ନବରଙ୍ଗପୁର ୯, କୋରାପୁଟ ୧୯, ରାୟଗଡ଼ା ୬ ଓ ଗଜପତି ୬ ଜଣ ୯୦ ପ୍ରତିଶତରୁ ଅଧିକ କୃତିତ୍ଵ ହାସଲ କରିଛନ୍ତି।

ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣିଗ୍ରାହୀ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ତରଫରୁ କୃତିତ୍ୱ ଅର୍ଜନ କରିଥିବା ପିଲାଙ୍କୁ ଓ ବିଦ୍ୟାଳୟକୁ ଶୁଭେଛା ପ୍ରଦାନ କରିବା ସହ କହିଛନ୍ତି ଯେ ଜିଲ୍ଲାର ପାସ୍ ହାର ରାଜ୍ୟର ପାସ୍ ହାରଠୁ ଅଧିକ ଏବଂ ଦକ୍ଷିଣ ଓଡ଼ିଶା ରାଜ୍ୟ ମାନଙ୍କ ଠାରୁ ୮୦  ଓ ୯୦ ପ୍ରତିଶତ ପିଲା ଅଧିକ। ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଜଗନ୍ନାଥ ପ୍ରସାଦ ବେହେରାଙ୍କ ତରଫରୁ ମିଳିଥିବା ଖବର ଅନୁଯାୟୀ ୨୫୫ ପିଲା ଯେଉଁମାନେ ପରୀକ୍ଷା ଦେଇ ପାରିନଥିଲେ ସେମାନେ ମୁକ୍ତ ବିଦ୍ୟାଳୟ ମାଧ୍ୟମରେ ପୁନଶ୍ଚ ପରୀକ୍ଷା ଦେବେ ଏବଂ କୃତିତ୍ଵ ଅର୍ଜନ କରି ନଥିବା ୩୯୯ ପିଲା ପୁଣି ଥରେ ସପ୍ଲେମେଣ୍ଟରି ପରୀକ୍ଷା ଦେବାର ବ୍ୟବସ୍ଥା କରାଯାଉଅଛି।

ଆହୁରି ପଢ଼ନ୍ତୁ: Big Snake Rescued: ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବିରାଟ ନାଗ ସାପ

ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ମତରେ ସ୍ୱତନ୍ତ୍ର ଆବାସିକ କୋଚିଂ ବ୍ୟବସ୍ଥା ଯାହା କରାଯାଇଥିଲା ତାହାଯୋଗୁଁ ପୂର୍ବ ବର୍ଷଠୁ ଭଲ ଫଳାଫଳ ଆସିଛି। ଜିଲ୍ଲାରେ ୨୨ ଜଣ ଏ୧,୬୬ ଜଣ ଏ୨,୧୮୫ ଜଣ ବି୧,୬୦୬ ଜଣ ବି୨,୧୮୨୫ ଜଣ ସି ଗ୍ରେଡ,୩୩୧୦ ଜଣ ଡି ଗ୍ରେଡ ଏବଂ ୨୭୦୫ ଜଣ ଇ ଗ୍ରେଡରେ ବାସ କରିଛନ୍ତି। ଜିଲ୍ଲାରେ ମୋଟ ୯୨୭୪ ଜଣ ପରିକ୍ଷା ପାଇଁ ନାମ ପଞ୍ଜିକରଣ କରିଥିବା ବେଳେ ଏଥିରୁ ୨୫୫ ଜଣ ଅନୁପସ୍ଥିତ ରହିଥିଲେ। ତେବେ ଜିଲ୍ଲାରେ ମୋଟ ୮୭୦୨ ଜଣ ପାସ କରିଥିବା ବେଳେ ଛାତ୍ର ହେଲେ ୪୪୫୮ ଜଣ ଏବଂ ଛାତ୍ରୀ ହେଲେ ୪୨୬୨ ଜଣ। ଯାହାକି ଜିଲ୍ଲାର ପାସ ହାର ୯୫.୬୨ ବୋଲି ଜଣାପଡିଛି।

 

Comments (0)

User