Mahanadi: ବିଭିନ୍ନ ସ୍ଥାନରେ ବିକ୍ଷୋଭ ଆୟୋଜନ କଲା ମହାନଦୀ ବଞ୍ଚାଓ ଆନ୍ଦୋଳନ

May 02, 2026 - 21:24
0 1
Mahanadi: ବିଭିନ୍ନ ସ୍ଥାନରେ ବିକ୍ଷୋଭ ଆୟୋଜନ କଲା ମହାନଦୀ ବଞ୍ଚାଓ ଆନ୍ଦୋଳନ

ଭୁବନେଶ୍ୱର: ଆଜି ଦିଲ୍ଲୀରେ ମହାନଦୀ ଟ୍ରିବୁନାଲର ଶୁଣାଣି ଚାଲିଥିବା ବେଳେ ଓଡ଼ିଶାର ବିଭିନ୍ନ ନଦୀକୁଳିଆ ସ୍ଥାନରେ ପ୍ରତିବାଦ ବିକ୍ଷୋଭ ଆୟୋଜନ କରିଛି ମହାନଦୀ ବଞ୍ଚାଓ ଆନ୍ଦୋଳନl ଝାରସୁଗୁଡା, ସୁବର୍ଣ୍ଣପୁର, ଦୌଦ୍ଧ, କଟକ, ସାଲେପୁର, ନିମାପଡା ଇତ୍ୟାଦି ସ୍ଥାନଗୁଡ଼ିକରେ ଆୟୋଜିତ ହୋଇଥିଲା ଏହି ବିକ୍ଷୋଭl

ଆନ୍ତରୀଣ ରାୟ ମାଧ୍ୟମରେ ଓଡିଶାକୁ ଅଣମୌସୁମୀ ସମୟରେ ୨.୭୪ ଏକର ଫୁଟ ପାଣି ଛାଡିବାକୁ ମୁଖ୍ୟ ପ୍ରସଙ୍ଗ କରି ଏହି ପ୍ରତିବାଦ ବିକ୍ଷୋଭ ଅନୁଷ୍ଠିତ ହୋଇଥିଲାl ବୌଦ୍ଧ, ଝାରସୁଗୁଡା, କଟକ ଇତ୍ୟାଦି ସ୍ଥାନରେ ବିକ୍ଷୋଭ ପରେ ଜିଲ୍ଲାପାଳମାନଙ୍କ ଜରିଆରେ ତ୍ରିବୁନାଲର ଅଧ୍ୟକ୍ଷ ଙ୍କ ନିକଟକୁ ଦାବିପତ୍ର ପଠା ଯାଇଥିବା ବେଳେ ସୋନପୁର ଜିଲ୍ଲାରେ ବୀରମହାରାଜପୁର ଠାରେ ଓ ପୁରୀ ଜିଲ୍ଲା କାକଟପୁର ଠାରେ ତହସିଲଦାରଙ୍କ ଜରିଆରେ ଏହି ଦାବିପତ୍ର ପଠା ଯାଇଥିଲାl

ସାଲେପୁରର ରଟିଲୋ ପଂଚାୟତ ସ୍ଥିତ ହରିପୁର ଗ୍ରାମ ନିକଟରେ ଥିବା ବାଲିଯାତ୍ରା ପଡିଆରେ ମହାନଦୀ ବଞ୍ଚାଓ ଆନ୍ଦୋଳନ ପକ୍ଷରୁ ବାଲି ସତ୍ୟାଗ୍ରହ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ଶତାଧିକ ଲୋକ ଯୋଗ ଦେଇ ମହାନଦୀ ବାଲି ଉପରେ ଖରାରେ ବସି ସତ୍ୟାଗ୍ରହ କରିଥିଲେ l କଟକର ଗଡ଼ଗଡିଆ ଘାଟରେ ଏହି ଅବସରରେ ଜଳ ସତ୍ୟାଗ୍ରହ ଅନୁଷ୍ଠିତ ହୋଇଥିଲାl

ବର୍ତ୍ତମାନ ସମୟରେ ମହାନଦୀରେ ଉତ୍କଟ ଜଳ ସଙ୍କଟ ଦେଖା ଦେଇଛିl ଅନେକ ସ୍ଥାନରେ ପିଇବା ପାଣି ଲୋକଙ୍କୁ ମିଳୁନାହିଁ l ଚାଷୀର କ୍ଷେତକୁ ପାଣି ପହଂଚୁ ନାହିଁl ନଦୀରେ ପାଣି ନଥିବାରୁ ନଦୀରୁ ମାଛ ମାରି ବଂଚୁଥିବା ଲକ୍ଷ ଲକ୍ଷ ଲୋକ ଜୀବିକା ହରାଇ ସାରିଲେଣି l ମହାନଦୀର ତଳ ମୁଣ୍ଡରେ ଥିବା ଶାଖା ପ୍ରଶାଖା ନଦୀ ଗୁଡିକ ସୁଖି ଗଲାଣିl ମହାନଦୀକୁ କେନ୍ଦ୍ର କରି ଗଢି ଉଠିଥିବା ଜୈବବିବିଧତା ଘୋର ବିପଦରେl ଏହି ପରିପ୍ରେକ୍ଷୀରେ ଆନ୍ତରୀଣ ରାୟ ମାଧ୍ୟମରେ ଓଡ଼ିଶାର ସର୍ବନିମ୍ନ ପାଣିର ଆବଶ୍ୟକତା ପ୍ରତି ଟ୍ରିବୁନାଲ ଦୃଷ୍ଟି ଦେବାକଥା l ମାତ୍ର ସେ କ୍ଷେତ୍ରରେ ଓଡିଶା ଆଜି ନିରାଶ ହେଲାl

ଓଡିଶା ଏହି ଆନ୍ତରୀଣ ରାୟ ପାଇଁ ଟ୍ରିବୁନାଲ ପାଖରେ ଦାବି ଉପସ୍ଥାପିତ ନ କରିବା ଏକ ଐତିହାସିକ ଭୁଲ ଓ ଓଡିଶା ପ୍ରତି ପ୍ରତାରଣା ବୋଲି ମହାନଦୀ ବଞ୍ଚାଓ ଆନ୍ଦୋଳନ ପକ୍ଷରୁ କୁହାଯାଇଛି l ଏହା ସହିତ ଆପୋଷ ଆଲୋଚନା ମାଧ୍ୟମରେ ଜଳ ବିବାଦର ସମାଧାନ ର ଅଗ୍ରଗତି ପାଇଁ ଯେଉଁ ଉଚ୍ଚ ସ୍ତରୀୟ କମିଟି ଗଠିତ ହୋଇ ଥିଲା ତାର ସ୍ଥିତି ବିଷୟରେ ଓଡିଶା ବାସୀ ଙ୍କୁ ସରକାର ଜଣାଇବା ଉଚିତ l ପୁଣି ସର୍ବଦଳୀୟ କମିଟି ଡାକି ସେମାନଙ୍କ ମତାମତ ଓ ସହମତି ଲୋଡିବା ବିଷୟରେ ସରକାର ଯାହା ଘୋଷଣା କରିଥିଲେ ତାହା ପାଣିର ଗାର ପାଲଟି ଗଲାଣିl ଓଡିଶା ପ୍ରତି ଏହା ସମ୍ବେଦନହୀନତା ବୋଲି ମହାନଦୀ ବଞ୍ଚାଓ ଆନ୍ଦୋଳନ ପକ୍ଷରୁ କୁହା ଯାଇଛି l

ଆହୁରି ପଢ଼ନ୍ତୁ: Chhattisgarh: ଛତିଶଗଡ଼ର ମନମୁଖି କାରବାର: ଶୁଖାସୋଢ଼ାରେ ଶୁଖିଗଲାଣି ମହାନଦୀ

ରାଜ୍ୟର ବିଭିନ୍ନ ସ୍ଥାନରେ ଆୟୋଜିତ ଏହି ପ୍ରତିବାଦ ବିକ୍ଷୋଭ କାର୍ଯ୍ୟକ୍ରମକୁ ଆନ୍ଦୋଳନର ଆବାହକ ସୁଦର୍ଶନ ଦାସଙ୍କ ସମେତ ଡ଼ ବିକାଶ ଦାସ, ଡ଼ ବିଶ୍ୱଜିତ, ମନୋଜ ଜେନା, ବାସୁଦେବ ଭଟ୍ଟ, ପ୍ରସନ୍ନ ବିଶୋଇ, ହରିବନ୍ଧୁ ଶତପଥି, ଅଧ୍ୟାପକ ହଳଧର ସାହୁ, ହରିହର ମହାପାତ୍ର, ମିନତୀ ବିଶ୍ୱାଳ, ଅବକାଶ ସାହୁ, ନବ କୁମାର ମିଶ୍ର, ଉଦୟନାଥ ଶର୍ମା, ଶିବକୁମାର ମିଶ୍ର, ଲବ ସାହୁ, ବିରଞ୍ଚି ସାହୁ, ଗୋପୀନାଥ ମାଝୀ, ସୁବ୍ରତ ପ୍ରଧାନ, ପ୍ରକାଶ ରଥ ପ୍ରମୁଖ ପରିଚାଳନା କରିଥିଲେl ଯେଉଁମାନେ ଏହି ପ୍ରତିବାଦ ବିକ୍ଷୋଭକୁ ସମର୍ଥନ କରି ଏଥିରେ ଯୋଗ ଦେଇଥିଲେ ସେମାନଙ୍କୁ ମହାନଦୀ ବଞ୍ଚାଓ ଆନ୍ଦୋଳନ ପକ୍ଷରୁ ଧନ୍ୟବାଦ ଜ୍ଞାପନ କରାଯାଇଛି l

Comments (0)

User