Emergency Alert Triggered: ସରକାରଙ୍କ ଏମର୍ଜେନ୍ସି ଆଲର୍ଟ, ଜରୁରୀକାଳୀନ ସ୍ଥିତିରେ ସଜାଗ ନେଇ ପରୀକ୍ଷଣ

କମ୍ପିଲା...ଡରାଇଲା...OKକୁ ନଦବାଇବା ଯାଏଁ ଥରାଇଲା...ଯିଏ ବୁଝିଲେ ତ OK ବଟନକୁ ହଠାତ୍ ଦବାଇଦେଲେ...ଯିଏ ନବୁଝିଲେ ସିଏ ଖାଲି ୟାକୁ ତାକୁ ପଚାରିଲେ...ଏପରିକି କିଏ ମୋବାଇଲକୁ ଫୋପାଡ଼ିଦେଲେ... ତ ଆଉ କିଏ ପୁଣି ସାଇରନ୍ ଶୁଣି, ଭାରତ ଭିତରେ ଯୁଦ୍ଧ ଆଶଙ୍କା କରି ଭୟରେ ଘାଣ୍ଟି ହେଲେ ।
ଆଜି ମଧ୍ୟାହ୍ନରେ ଦେଶବ୍ୟାପି କମ୍ପିଲା ସମସ୍ତଙ୍କ ମୋବାଇଲ ଫୋନ୍। ଆଉ ସ୍କ୍ରିନ୍ ଉପରେ ଡିସପ୍ଲେ ହୋଇଥିଲା ଗୃହ ମନ୍ତ୍ରାଳୟର ଏକ ମେସେଜ୍। ଯେଉଁଥିରେ ଇଂରାଜୀ, ହିନ୍ଦି, ଓଡ଼ିଆ ସମେତ ବିଭିନ୍ନ ଆଞ୍ଚଳିକ ଭାଷାରେ ଲେଖାଥିଲା, ଭାରତୀୟ ନାଗରିକଙ୍କୁ କୌଣସି ଏକ ବିପର୍ଯ୍ୟୟ ସମ୍ପର୍କରେ ସତର୍କ କରିବା ପାଇଁ ସ୍ବଦେଶୀ ପ୍ରଯୁକ୍ତି ବିଦ୍ୟା ଦ୍ବାରା ସେଲ୍ ବ୍ରଡକାଷ୍ଟ ଆଲର୍ଟ ସିଷ୍ଟମ। ଏହା ଏକ ପରୀକ୍ଷାମୂଳକ ବାର୍ତ୍ତା। ଏଥିରେ କେହି ଭୟଭୀତ ହୁଅନ୍ତୁ ନାହିଁ। କିନ୍ତୁ ଏଭଳି ଆଲର୍ଟ ସିଷ୍ଟମକୁ ନେଇ ଆଜି ଚହଳ ପଡ଼ିଥିଲା ସବୁଠି।
ଫୋନରେ ରିୟଲ୍-ଟାଇମ୍ ଇମର୍ଜେନସୀ ଆଲର୍ଟ
ତେବେ କ’ଣ ଏହି ସେଲ୍ ବ୍ରଡକାଷ୍ଟ ଆଲର୍ଟ ସିଷ୍ଟମ୍ ? ଏହି ସିଷ୍ଟମ ଦ୍ବାରା ମୋବାଇଲ୍ ଫୋନରେ ରିୟଲ୍-ଟାଇମ୍ ଇମର୍ଜେନସୀ ଆଲର୍ଟ କରାଯାଇଥାଏ। ସାରା ଦେଶ ପାଇଁ ପ୍ରସ୍ତୁତ ସମନ୍ୱିତ ଆଲର୍ଟ ସିଷ୍ଟମ୍ ବା ‘ସଚେତ୍’ ହେଉଛି ଏହାର ଏକ ପ୍ରମୁଖ ଅଂଶ। ମୋବାଇଲ୍ ଫୋନ୍ ସାଇଲେଣ୍ଟ ମୋଡରେ ଥିଲେ ମଧ୍ୟ ବାଜିଉଠିବ, ସତର୍କ କରାଇବ। ମୁଖ୍ୟ ଉଦ୍ଦେଶ୍ୟ ହେଉଛି, ଯେକୌଣସି ପ୍ରାକୃତିକ ବିପର୍ଯ୍ୟୟ ଯଥା, ଭୂମିକମ୍ପ, ସୁନାମି, ବାତ୍ୟା, ବନ୍ୟା ଭଳି ସମୟରେ ଲୋକଙ୍କୁ ତୁରନ୍ତ ସତର୍କ ସୂଚନା ପ୍ରଦାନ କରିବା ଏବଂ ଧନଜୀବନକୁ ସୁରକ୍ଷା ଦେବା।
ଏହା ବ୍ୟତୀତ ଗ୍ୟାସ୍ ଲିକ୍ କିମ୍ବା ଯୁଦ୍ଧ ଭଳି ଅନ୍ୟାନ୍ୟ ଜରୁରୀକାଳୀନ ପରିସ୍ଥିତିରେ ଏହା ଅତ୍ୟନ୍ତ ଉପଯୋଗୀ ହୋଇପାରିବ। NDMA ତଥା ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ସହଯୋଗରେ ସେଣ୍ଟର ଫର୍ ଡେଭଲପମେଣ୍ଟ ଅଫ୍ ଟେଲିମାଟିକ୍ସ ଦ୍ୱାରା ନିର୍ମିତ ଏବଂ ସ୍ବଦେଶୀ ଜ୍ଞାନକୌଶଳରେ ବିକଶିତ ଏହି 'ସେଲ୍ ବ୍ରଡକାଷ୍ଟ ଆଲର୍ଟ ସିଷ୍ଟମ୍'ର ଆଜି ଶୁଭାରମ୍ଭ କରାଯାଇଥିଲା। ଦିଲ୍ଲୀରେ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏହାର ଶୁଭାରମ୍ଭ କରିଥିଲେ କେନ୍ଦ୍ର ଯୋଗାଯୋଗ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ।
ସରକାର ଏହି ଆଲର୍ଟ ସିଷ୍ଟମର କ୍ଷମତା ଏବଂ ଦକ୍ଷତା ମାପିବା ପାଇଁ ବିଭିନ୍ନ ନେଟୱର୍କ ଏବଂ ବିଭିନ୍ନ ଇଲାକାରେ ଏହି ଟେଷ୍ଟିଂ ଜାରି ରଖିଛନ୍ତି। ତେଣୁ ପରୀକ୍ଷଣ ସଫଳ ହେଲେ ଏହା ସମସ୍ତ ମୋବାଇଲରେ ବିନା ବାଧାରେ କାମ କରିବ ଏବଂ ଦେଶରେ ବିପର୍ଯ୍ୟୟ ମୁକାବିଲା ବ୍ୟବସ୍ଥାକୁ ଆହୁରି ମଜବୁତ କରିବ ବୋଲି ଆଶା କରାଯାଉଛି।.....
Comments (0)