Young Delhi Judge Found Dead: ଯୁବ ବିଚାରପତିଙ୍କ ରହସ୍ୟଜନକ ମୃତ୍ୟୁ, ବାସଭବନରୁ ମିଳିଲା ମୃତଦେହ

ରାଜଧାନୀ ଦିଲ୍ଲୀରୁ ଏକ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି। ଦିଲ୍ଲୀର ଜଣେ ୩୦ ବର୍ଷୀୟ ଯୁବ ବିଚାରପତିଙ୍କ ମୃତଦେହ ତାଙ୍କ ବାସଭବନରୁ ଉଦ୍ଧାର କରାଯାଇଛି। ମୃତ୍ୟୁର କାରଣ ଏଯାଏ ସ୍ପଷ୍ଟ ହୋଇନଥିବା ବେଳେ ଏହା ଏକ ଆତ୍ମହତ୍ୟା ବୋଲି ପୋଲିସ ପ୍ରାଥମିକ ଭାବେ ସନ୍ଦେହ କରୁଛି।
ମୃତକ ୩୦ ବର୍ଷୀୟ ଅମନ କୁମାର ଶର୍ମା। ସେ କରକରଡୁମା କୋର୍ଟରେ ଉତ୍ତର-ପୂର୍ବ ଜିଲ୍ଲା ଆଇନ ସେବା ପ୍ରାଧିକରଣ (DLSA) ର ସଚିବ ଭାବେ କାର୍ଯ୍ୟ କରୁଥିଲେ।
ଶନିବାର ଦ୍ୱିପ୍ରହର ପ୍ରାୟ ୧.୪୫ ସମୟରେ ଅମନଙ୍କ ଶଳା ଶିବମ୍ ପୋଲିସକୁ ଫୋନ୍ କରି ଏହି ଦୁଃଖଦ ସୂଚନା ଦେଇଥିଲେ। ସେ କହିଥିଲେ ଯେ ଅମନ ଘର ଭିତରେ ଆତ୍ମହତ୍ୟା କରିଛନ୍ତି। ପୋଲିସ ପହଞ୍ଚିବା ବେଳକୁ ଅମନଙ୍କୁ ବାଥରୁମ ଭିତରେ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା।
ଅମନ କୁମାର ଶର୍ମା ଜଣେ ମେଧାବୀ ନ୍ୟାୟିକ ଅଧିକାରୀ ଥିଲେ। ୨୦୧୮ ରେ ପୁଣେର ସିମ୍ବୋସିସ୍ ଲ’ ସ୍କୁଲରୁ ଆଇନ ଶିକ୍ଷା ସମାପ୍ତ କରିବା ପରେ ୨୦୨୧ ଜୁନ୍ ୧୯ ରେ ସେ ଦିଲ୍ଲୀ ନ୍ୟାୟିକ ସେବାରେ ଯୋଗ ଦେଇଥିଲେ। ୨୦୨୫ ଅକ୍ଟୋବର ମାସରୁ ସେ କରକରଡୁମା କୋର୍ଟରେ ପୂର୍ଣ୍ଣକାଳୀନ ସଚିବ ଭାବେ କାର୍ଯ୍ୟରତ ଥିଲେ।
ତେବେ ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ପ୍ରାଥମିକ ତଦନ୍ତ ଅନୁଯାୟୀ, ଅମନ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରୁ କୌଣସି ସୁଇସାଇଡ୍ ନୋଟ୍ ମିଳିଛି କି ନାହିଁ, ସେ ନେଇ ପୋଲିସ ସ୍ପଷ୍ଟ ସୂଚନା ଦେଇନାହିଁ। ପରିବାର ସଦସ୍ୟ ଏବଂ ନିକଟତମ ସହକର୍ମୀଙ୍କୁ ପୋଲିସ ପଚରାଉଚରା କରୁଛି।
ଅମନ କୌଣସି ମାନସିକ ଚାପରେ ଥିଲେ କି କିମ୍ବା ଅନ୍ୟ କୌଣସି କାରଣ ରହିଛି, ସେ ସବୁ ଦିଗରୁ ପୋଲିସ ଛାନଭିନ୍ ଜାରି ରଖିଛି। ଜଣେ ଦକ୍ଷ ଯୁବ ବିଚାରପତିଙ୍କର ଏଭଳି ଅକାଳ ବିୟୋଗ ଦିଲ୍ଲୀର ନ୍ୟାୟିକ ମହଲରେ ଶୋକର ଛାୟା ଖେଳାଇ ଦେଇଛି। ପୋଲିସର ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ।
Comments (0)