EC announces repolling: ପଶ୍ଚିମବଙ୍ଗର ଏହି ସ୍ଥାନରେ ନାକଚ ହେଲା ଭୋଟ୍, ତାରିଖ ଘୋଷଣା କଲେ ନିର୍ବାଚନ କମିଶନ

ପଶ୍ଚିମବଙ୍ଗ ରାଜନୀତିରୁ ଆସିଛି ଏକ ବଡ଼ ଖବର। ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାର ଫାଲ୍ତା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଗତ ଏପ୍ରିଲ ୨୯ରେ ହୋଇଥିବା ମତଦାନକୁ ନାକଚ କରିଛନ୍ତି ନିର୍ବାଚନ କମିଶନ। ଗୁରୁତର ନିର୍ବାଚନୀ ଅନିୟମିତତା ଏବଂ ଗଣତାନ୍ତ୍ରିକ ପ୍ରକ୍ରିୟାକୁ କ୍ଷତି ପହଞ୍ଚାଯାଇଥିବା ଦର୍ଶାଇ କମିଶନ ଏହି କଡ଼ା ନିଷ୍ପତ୍ତି ନେଇଛନ୍ତି।
ନିର୍ବାଚନ କମିଶନଙ୍କ ସୂଚନା ଅନୁଯାୟୀ, ଏପ୍ରିଲ ୨୯ ତାରିଖରେ ଫାଲ୍ତା ନିର୍ବାଚନ ମଣ୍ଡଳୀରେ ବ୍ୟାପକ ଅନିୟମିତତା ଏବଂ ଅପରାଧିକ କାର୍ଯ୍ୟକଳାପ ହୋଇଥିବା ଅଭିଯୋଗ ହୋଇଥିଲା। ଏହା ସହ ସ୍ଥାନୀୟ ଅଞ୍ଚଳରେ ହୋଇଥିବା ବ୍ୟାପକ ଜନ ଆନ୍ଦୋଳନକୁ ଦୃଷ୍ଟିରେ ରଖି କମିଶନ ସମସ୍ତ ବୁଥ୍ରେ ପୁନଃ ମତଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନାଯୋଗ୍ୟ ଯେ, ଶନିବାର ସକାଳେ ଫାଲ୍ତାରେ ପ୍ରବଳ ଉତ୍ତେଜନା ଦେଖାଦେଇଥିଲା। ଟିଏମସି ପ୍ରାର୍ଥୀ ଜାହାଙ୍ଗୀର ଖାନଙ୍କ ନିକଟତମ ସହଯୋଗୀ ତଥା ପଞ୍ଚାୟତ ପ୍ରଧାନ ଇସ୍ରାଫିଲ୍ ଗ୍ରାମବାସୀଙ୍କୁ ହତ୍ୟା ଓ ଘରପୋଡ଼ିର ଧମକ ଦେଇଥିବା ଅଭିଯୋଗ ହୋଇଥିଲା।
ହସିମନଗର ଅଞ୍ଚଳରେ ଶତାଧିକ ବିଜେପି ସମର୍ଥକ ଓ ମହିଳାମାନେ ରାସ୍ତା ଅବରୋଧ କରି ସୁରକ୍ଷା ଏବଂ ପୁନଃ ମତଦାନ ଦାବି କରିଥିଲେ। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ସେଠାରେ ବ୍ୟାପକ CRPF ଯବାନଙ୍କୁ ମୁତୟନ କରାଯାଇଛି।
ନିର୍ବାଚନ କମିଶନ ଏକ ବିବୃତ୍ତିରେ କହିଛନ୍ତି ଯେ, "ନିର୍ବାଚନ ପ୍ରକ୍ରିୟାରେ ହୋଇଥିବା ଗୁରୁତର ତ୍ରୁଟି ଏବଂ ଅଭିଯୋଗକୁ ବିଚାରକୁ ନେଇ ସମସ୍ତ ୨୮୫ଟି ପୋଲିଂ ଷ୍ଟେସନରେ ପୁନଃ ମତଦାନ ନିର୍ଦ୍ଦେଶ ଦିଆଯାଇଛି।" ଏହାଦ୍ୱାରା ନିର୍ବାଚନର ସ୍ୱଚ୍ଛତା ବଜାୟ ରହିବ ବୋଲି କମିଶନ ଆଶା ରଖିଛନ୍ତି।
ବଙ୍ଗଳା ନିର୍ବାଚନର ଏହି ହାଇ-ଭୋଲଟେଜ୍ ଲଢ଼େଇରେ ଏବେ ଫାଲ୍ତା ଉପରେ ସମସ୍ତଙ୍କ ନଜର। ମଇ ୨୧ରେ ହେବାକୁ ଥିବା ମତଦାନ ପାଇଁ ସୁରକ୍ଷା ବ୍ୟବସ୍ଥା ଅଧିକ କଡ଼ାକଡ଼ି କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।
Comments (0)