Deadly Jabalpur Boat Tragedy Raises Alarm: ଦେଶକୁ ଦୋହଲାଇ ଦେଲା ଜବଲପୁର ବୋଟ୍ ଟ୍ରାଜେଡି, ଓଡ଼ିଶାର ବିଭିନ୍ନ ସ୍ଥାନରେ ମୁକୁଳା ଜଳଯାତ୍ରା

May 03, 2026 - 06:12
0 0
Deadly Jabalpur Boat Tragedy Raises Alarm: ଦେଶକୁ ଦୋହଲାଇ ଦେଲା ଜବଲପୁର ବୋଟ୍ ଟ୍ରାଜେଡି, ଓଡ଼ିଶାର ବିଭିନ୍ନ ସ୍ଥାନରେ ମୁକୁଳା ଜଳଯାତ୍ରା

ନଦୀର ଉଛୁଳା ଜଳରେ ବୋଟ୍ ଟ୍ରାଜେଡିର ଛାତିଥରା ଦୃଶ୍ୟ। ଆଖି ସାମ୍ନାରେ କାଗଜଡଙ୍ଗା ଭଳି ବୁଡି ଯାଉଛି ନୌକା। ବିନା ଲାଇଫ୍ ଜ୍ୟାକେଟରେ ବସିଛନ୍ତି ଯାତ୍ରୀ। ଛୋଟ ପିଲା, ମହିଳା ଓ ବୟସ୍କ ବି ଅଛନ୍ତି। ମଜାମସ୍ତିରେ ସମସ୍ତେ ମଜିଥିବା ବେଳେ କେହି ଜଣେ ବି ପିନ୍ଧି ନାହାନ୍ତି ଲାଇଫ୍ ଜାକେଟ୍।

ହେଲେ ଯେମିତି ଝଡ଼ ତୋଫାନ ମାଡି ଆସୁଛି ଆଉ ନୌକା ଭିତରେ ପାଣି ପଶିଛି, ବୋଟ୍ କର୍ମଚାରୀ ତରବରିଆ ଭାବେ ଲାଇଫ୍ ଜାକେଟ୍ ଆଣି ଦେଉଛନ୍ତି। ଯାତ୍ରୀ ବି ପିନ୍ଧି ପକାଉଛନ୍ତି। ଏହା ସ୍ପଷ୍ଟ କରୁଛି ଯେ, କେମିତି ଯାତ୍ରୀଙ୍କ ସୁରକ୍ଷାକୁ ବେଖାତିର କରି ଅତି ବିପଦପୂର୍ଣ୍ଣ ଭାବେ ଚାଲିଥିଲା ଜଳଯାତ୍ରା। ଯାହାର ଫଳ ସ୍ବରୁପ ମଧ୍ୟପ୍ରଦେଶ ଜବଲପୁରରେ ଘଟିଗଲା ଅତି ଦୁଃଖଦ ଦୁର୍ଘଟଣା। ଅକାଳରେ ଚାଲିଗଲା ୯ଟି ଅମୂଲ୍ୟ ଜୀବନ। ସେଦିନ ନୌକା ଚଲାଉଥିବା ଚାଳକ ବଖାଣିଛନ୍ତି ବୋଟ୍ ଟ୍ରାଜେଡିର ଛାତିଥରା କାହାଣୀ। 

ମଧ୍ୟପ୍ରଦେଶ ବୋଟ୍ ଟ୍ରାଜେଡୀ ପରେ ଆମେ ପରଖିଥିଲୁ ଓଡ଼ିଶାରେ ସ୍ଥିତି। ନିଳାମ୍ବୁ ଚିଲିକା। ଅକାତ କାତ ପାଣିରେ ପିଲା ଛୁଆଙ୍କୁ ଧରି କାଳିଜାଈରୁ ଫେରୁଛନ୍ତି ଯାତ୍ରୀ। ହେଲେ କାହା ଦେହରେ ନାହିଁ ଲାଇଫ୍ ଜ୍ୟାକେଟ୍। ବୋଟ୍ ଚାଳକ ଜ୍ୟାକେଟ୍ ପିନ୍ଧିବାକୁ ବାଧ୍ୟ କରୁନାହାଁନ୍ତି କି ଯାତ୍ରୀ ବି ବେଫିକର। ଡଙ୍ଗାରେ ଲାଇଫ୍ ଜ୍ୟାକେଟ୍ ଥିଲେ ମଧ୍ୟ ନପିନ୍ଧି ଜୀବନକୁ ବାଜି ଲଗାଇ ଯାତ୍ରା କରୁଛନ୍ତି।  କ୍ୟାମେରାକୁ ଦେଖି ଡାକବାଜି ଯନ୍ତ୍ରରେ ଯାତ୍ରୀଙ୍କୁ ସଚେତନ କରାଯାଉଛି। ଆଉ ଯାତ୍ରୀ ବି ତରବର ହୋଇ ପିନ୍ଧି ପକାଉଛନ୍ତି ଲାଇଫ୍ ଜ୍ୟାକେଟ୍। ...

ଯାଇଥିଲା ୬ଟି ମୂଲ୍ୟବାନ ଜୀବନ

୨୦୧୮, ଜୁନରେ କାଳବୈଶାଖୀ ଯୋଗୁଁ ଚିଲିକାରେ ଯାଇଥିଲା ୬ଟି ମୂଲ୍ୟବାନ ଜୀବନ। ୨୦୨୨ରେ ବି ଡ଼ଙ୍ଗା ବୁଡ଼ିଥିଲା, ଜଣେ ପ୍ରାଣ ହରାଇଥିଲେ। ତଥାପି ସବୁ ବେଫିକର। ପ୍ରଶାସନ, ଡଙ୍ଗା ମାଲିକ ଓ କର୍ମଚାରୀଙ୍କ ପାଇଁ ଏହା ଦେହସୁଆ ହୋଇଗଲାଣି। ଆଉ ଯାତ୍ରୀ ବି ସୁରକ୍ଷାକୁ ପଛରେ ପକାଇ ସେଲଫି ନେବାରେ ବ୍ୟସ୍ତ। ଜଳପଥ ପରିବହନ ବିଭାଗ ଚିଲିକାର ବରକୂଳ ଓ ବାଲୁଗାଁରେ ପ୍ରାୟ ୩ଶହ ଡଙ୍ଗାକୁ ଅନୁମତି ଦେଇଛି।

ହେଲେ ଡଙ୍ଗାର ଫିଟନେସ୍, ଯାତ୍ରୀ ସୁରକ୍ଷା ଓ ଚାଳକଙ୍କ ଲାଇସେନ୍ସ ଯାଞ୍ଚ ପ୍ରତି ଯେମିତି ଆଖି ବୁଜି ଦେଇଛି। ଡଙ୍ଗାରେ  ରଖାଯାଇଛି ଚିରା-ଫଟା ଜ୍ୟାକେଟକୁ। ପାଣିରେ ପକାଇବା ମାତ୍ରେ ଭିତରେ ପଶିଯାଉଛି ପାଣି। ଏଥିରେ ଜୀବନ ବଂଚିବ କେମିତି ? 

ଏପଟେ ଡଙ୍ଗାରେ ଯାତ୍ରୀ ହାଉଜାଉ। ଗାଡି ମୋଟର ବି ଭର୍ତ୍ତି। ଏମିତି ବିପଦପୂର୍ଣ୍ଣ ଯାତ୍ରା, ଦେଖିଲେ ଛାତି ଥରିଉଠୁଛି। ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ୍ ସାତପଡା ଓ ଜହ୍ନିକୁଦା ଅଂଚଳର ଇଏ ନିତି ଦିନିଆ ଘଟଣା। କିନ୍ତୁ ଆଶ୍ଚର୍ଯ୍ୟର କଥା ଜୀବନ ପ୍ରତି ଯେମିତି କାହାର ଲୋଭ ନାହିଁ। ଡଙ୍ଗାରେ ନୂଆ ଜ୍ୟାକେଟ୍ ରଖାଯାଇଥିଲେ ବି ପିନ୍ଧିବାକୁ କାହାର ଇଛା ନାହିଁ। ...

ମଧ୍ୟପ୍ରଦେଶ ଅଘଟଣ ପରେ ପୁରୀ ବିଚରେ ବି ବଢିଛି ପର୍ଯ୍ୟଟକଙ୍କ ସୁରକ୍ଷା ଚିନ୍ତା। ସମୁଦ୍ରରେ ବୋଟିଂ ହେଉ କି ଜେଟ ସ୍କି ଭଳି ଜଳକ୍ରୀଡା, ସୁରକ୍ଷା ପାଇଁ ଲାଇଫ ଜ୍ୟାକେଟ ଓ ଲାଇଫ ଗାର୍ଡ ନିୟୋଜିତ ସହ ୱାକି ଟକିରେ ସୂଚନା ପ୍ରଦାନ ଜରୁରୀ ବୋଲି କହିଛନ୍ତି ପର୍ଯ୍ୟଟକ।

ସେପଟେ କୋଣାର୍କରେ ପର୍ଯ୍ୟଟକଙ୍କୁ ସାମୁଦ୍ରିକ ସୁରକ୍ଷା ଯୋଗାଇବାକୁ ଲାଇଫ ଗାର୍ଡମାନଙ୍କୁ ତାଲିମ ଦିଆଯାଉଛି। 
ଖାମଖିଆଲ ପ୍ରଶାସନ ହେଉ ଅବା ଯାତ୍ରୀଙ୍କ ବେଫିକର ଜଳଯାତ୍ରା, ମଧ୍ୟପ୍ରଦେଶ ବୋଟ୍ ଟ୍ରାଜେଡୀ ସମସ୍ତଙ୍କୁ ଶିଖାଇ ଦେଇଛି ଜୀବନର ମୂଲ୍ୟ କଣ। ... 

Comments (0)

User