ଇରାନ ପରେ ଏବେ ଟ୍ରମ୍ପଙ୍କ ଟାର୍ଗେଟ୍‌ରେ ଏହି ଦେଶ, ଘୋଷଣା ପରେ ବିଶ୍ୱରେ ହଇଚଇ

May 02, 2026 - 18:26
0 0

ଓ୍ବାଶିଂଟନ,୨ା୫: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଏକ ବୟାନ ଦେଇଛନ୍ତି ଯାହା ଅନ୍ତର୍ଜାତୀୟ କ୍ଷେତ୍ରରେ ହଇଚଇ ସୃଷ୍ଟି କରିଛି। ଫ୍ଲୋରିଡାର ପାମ ବିଚ୍‌ରେ ଥିବା ଫୋରମ୍‌ କ୍ଲବ୍‌ରେ ଆୟୋଜିତ ଏକ  କାର୍ଯ୍ୟକ୍ରମରେ ଟ୍ରମ୍ପ ଘୋଷଣା କରି କହିଛନ୍ତି, ଆମେରିକା ଖୁବ୍‌ଶୀଘ୍ର କ୍ୟୁବା ଦଖଲ କରିବ। ତାଙ୍କର ଏହି ବୟାନ ରାଜନୈତିକ ମହଲରେ ଚହଳ ପକାଇଛି।

କାର୍ଯ୍ୟକ୍ରମରେ ଟ୍ରମ୍ପ ପୂର୍ବତନ ପ୍ରତିନିଧି ଡ୍ୟାନ ମାଇକାଙ୍କ ବିଷୟରେ ଉଲ୍ଲେଖ କରି ଏହି ମନ୍ତବ୍ୟ ଦେଇଥିଲେ। ସେ କହିଥିଲେ ଯେ, ଡ୍ୟାନ୍‌ଙ୍କର କ୍ୟୁବା ସହିତ ସମ୍ପର୍କ ଅଛି ଏବଂ ସେ ପ୍ରାୟ ତୁରନ୍ତ ଏହି ଅଞ୍ଚଳ ଦଖଲ କରିବାକୁ ଯାଉଛନ୍ତି। ଏହି ବୟାନ ବ୍ୟାପକ ଦୃଷ୍ଟି ଆକର୍ଷଣ କରିଥିଲା।

ଟ୍ରମ୍ପ କ୍ୟୁବାର ପରିସ୍ଥିତି ବିଷୟରେ ଆଲୋଚନା କରିବା ସମୟରେ କହିଥିଲେ ଯେ, ସେଠାରେ ଅନେକ ସମସ୍ୟା ଅଛି। ତଥାପି ସେ ଏହା ମଧ୍ୟ କହିଥିଲେ ସେ ଏକାଥରେ ଅନେକ କାର୍ଯ୍ୟର ମୁକାବିଲା କରିବାକୁ ଚାହାନ୍ତି ନାହିଁ। ସେ କହିଥିଲେ, ସେ ପ୍ରଥମେ ଗୋଟିଏ କାର୍ଯ୍ୟ ସମାପ୍ତ କରିବେ ଏବଂ ତା’ପରେ ଆଗକୁ ବଢ଼ିବେ। ସେ ମଜା କରି କହିଥିଲେ. ଏକ ଆମେରିକୀୟ ଯୁଦ୍ଧଜାହାଜକୁ ଦେଖିବା ଦ୍ୱାରା କ୍ୟୁବାବାସୀ ଆତ୍ମସମର୍ପଣ କରି କହିବେ, ‘ଧନ୍ୟବାଦ, ଆମେ ପରାଜୟ ସ୍ବୀକାର କରୁଛୁ।’ ଟ୍ରମ୍ପଙ୍କ ବକ୍ତବ୍ୟ ଏହା କେବଳ ଏକ ମଜା କି ଭବିଷ୍ୟତ ନୀତିର ଏକ ସଙ୍କେତ ବୋଲି ପ୍ରଶ୍ନ ଉଠାଇଛି। ସେ ତାଙ୍କ ବକ୍ତବ୍ୟ ବିଷୟରେ ସ୍ପଷ୍ଟ ଭାବରେ କହି ନାହାନ୍ତି ଏବଂ ହ୍ବାଇଟ୍‌ ହାଉସ୍‌ ପକ୍ଷରୁ କୌଣସି ସରକାରୀ ପ୍ରତିକ୍ରିୟା ଦିଆଯାଇନାହିଁ।

ଟ୍ରମ୍ପ କ୍ୟୁବା ବିରୋଧରେ ମେ’ ୧ ରୁ ନୂଆ ପ୍ରତିବନ୍ଧକ ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତ। ଏହି ପ୍ରତିବନ୍ଧକ କିଛି କ୍ୟୁବା ବ୍ୟକ୍ତିଙ୍କୁ ଟାର୍ଗେଟ କରିବା ସହିତ କାମ କରୁଥିବା ବିଦେଶୀ ବ୍ୟାଙ୍କଗୁଡ଼ିକୁ ଚେତାବନୀ ଦିଏ। ଏହାକୁ କ୍ୟୁବା ଉପରେ ଚାପ ବୃଦ୍ଧି କରିବା ପାଇଁ ଏକ ରଣନୀତିର ଅଂଶ ବିବେଚନା କରାଯାଉଛି। ଟ୍ରମ୍ପଙ୍କ ଏହି ବିବୃତ୍ତି ଏବଂ ତାଙ୍କର ସାମ୍ପ୍ରତିକ ନିଷ୍ପତ୍ତିଗୁଡ଼ିକୁ ଦେଖିଲେ, ଏହା ସ୍ପଷ୍ଟ ଯେ ଆଗାମୀ ସମୟରେ ଆମେରିକା ଏବଂ କ୍ୟୁବା ମଧ୍ୟରେ ଉତ୍ତେଜନା ଆହୁରି ବଢ଼ିପାରେ।

Dharitri – Odisha’s No.1 Odia Daily

The post ଇରାନ ପରେ ଏବେ ଟ୍ରମ୍ପଙ୍କ ଟାର୍ଗେଟ୍‌ରେ ଏହି ଦେଶ, ଘୋଷଣା ପରେ ବିଶ୍ୱରେ ହଇଚଇ appeared first on Dharitri Odia News.

Comments (0)

User